ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟକା ! କଂଗ୍ରେସକୁ ଛାଡି ମାୟାବତୀଙ୍କ ହାତ ଧରିବେ ଅଖିଳେଶ ।

51

କନକ ବ୍ୟୁରୋ: ମଧ୍ୟପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଅନ୍ୟପଟେ କଂଗ୍ରେସକୁ ଲାଗିଛି ବଡ ଝଟକା ।  ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବହୁଜନ ସମାଜବାଦୀ ପାର୍ଟି ପରେ ଏବେ ସମାଜବାଦୀ ପାର୍ଟି ଟାର୍ଗେଟରେ ରହିଛି କଂଗ୍ରେସ । ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏନେଇ କହିଛନ୍ତି, ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆମକୁ ବହୁ ଅପେକ୍ଷା କରାଇଛି । ତେଣୁ ମଧ୍ୟପ୍ରଦେଶରେ ଏକାକି କିମ୍ବା ଗୋଂଡାୱନ ପାର୍ଟି ସହ ମିଶି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

Lucknowରେ ଆଜି ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ବରିଷ୍ଠ ଶିକ୍ଷକ ସମ୍ମିଳନୀ ଆୟୋଜିତ କରାଇଥିଲେ ଅଖିଳେଶ । ଏହି ଅବସରରେ ସେ ଭାଜପା ସହ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଅଖିଳେଶଙ୍କ କହିବା ଅନୁଯାୟୀ ଆମେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ସହ ରଣଭୂମିରେ ଓହ୍ଲାଇବାକୁ ପ୍ରସ୍ତୁତ ଥିଲୁ । କିନ୍ତୁ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ନିଜର କୌଣସି ଯୋଜନା ସମ୍ପର୍କରେ ଆମ ସହ ଆଲୋଚନା କରିନାହିଁ । ସେଥିପାଇଁ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ କିନ୍ତୁ ଏବେ ଆଉ କରିବୁନି ବୋଲି  ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି । ତେଣୁ ମଧ୍ୟପ୍ରଦେଶରେ ଆଗାମୀ ନିର୍ବାଚନ ଏକାକି ଲଢିବୁ କିମ୍ବା ଗୋଂଡାୱନ ଗଣତନ୍ତ୍ର ପାର୍ଟି ସହ ମିଶି ନିର୍ବାଚନ ଲଢିବୁ ବୋଲି ଅଖିଳେଶ କହିଛନ୍ତି ।

ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ଦେଶର ରାଜନୀତି । ସୂଚନାଯୋଗ୍ୟ ବିଏସପି ସୁପ୍ରିମୋ ମାୟାବତୀ କିଛି ଦିନ ତଳେ କହିଥିଲେ ଯେ, ମଧ୍ୟପ୍ରଦେଶରେ ନିର୍ବାଚନ ପାଇଁ ତାଙ୍କ ଦଳ କୌଣସି ପ୍ରକାରେ କଂଗ୍ରେସ ସହିତ ମେଣ୍ଟ କରିବ ନାହିଁ। ମାୟାବତୀ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦଳ ସହିତ ମେଣ୍ଟ କରିଥିବା ବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକାକୀ ନିର୍ବାଚନ ଲଢ଼ିବ। ସେପଟେ ମାୟାବତୀଙ୍କ ସହ ମିଶି ମଧ୍ୟପ୍ରଦେଶରେ ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ କହିଛନ୍ତି ।