ମଧ୍ୟପ୍ରଦେଶରୁ ଆସିଲା ଲୋମ ଟାଙ୍କୁରା ଘଟଣା, ଜମିଜମା ବିବାଦରୁ ଗୋଟିଏ ପରିବାରର ୬ଜଣଙ୍କୁ ଗୁଳିକରି ହତ୍ୟା

308

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମୁରେନାରୁ ଆସିଛି ଲୋମଟାଙ୍କୁରା ଘଟଣା । ଏଠାରେ ଜମି ଜମା ବିବାଦକୁ ନେଇ ଗୋଟିଏ ପରିବାରର ୬ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାସହ ଦୁଇଜଣ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ ମୁରେନାର ସିଂହୋନିଆ ଥାନା ଅର୍ନ୍ତଗତ ଲୋପା ଗାଁରେ ଶୁକ୍ରବାର ସକାଳେ ଧୀର ସିଂ ନାମକ ଜଣେ ଯୁବକ ମାରଣାସ୍ତ୍ର ସହ ଗଜେନ୍ଦ୍ର ସିଂଙ୍କ ଘର ଭିତରେ ପଶି ଯାଇଥିଲା । ଏକ ପୁରୁଣା ମାମଲାକୁ ନେଇ ଲାଗିଥିବା ବିବାଦ ଭିତରେ ଧୀର ସିଂ ଗଜେନ୍ଦ୍ର ସିଂଙ୍କ ପରିବାରର ୬ଜଣଙ୍କୁ ଗୁଳି କରିଦେଇଥିଲା । ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ପୁରୁଷ ଥିଲେ । ଗୁଳି ବାଜିବା ପରେ ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କର ମେଡିକାଲରେ ମୃତ୍ୟୁ ହୋଇଛି । ଏହାସହ ଏବେ ବି ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଅଛନ୍ତି   । ଘଟଣାର ସୂଚନା ପାଇବା ପରେ ପୋଲିସ ଟିମ୍ ସେଠାରେ ପହଂଚି ତଦନ୍ତ କରୁଛି । ସେପଟେ ଗୁଳି ମାରିବା ପରେ ଅପରାଧୀ ଜଣଙ୍କ ଗାଁ ଛାଡି ଫେରାର ହୋଇଯାଇଛି ।