‘ଅପରେସନ ଲୋଟସ’ କୁ ନେଇ ବିଜେପି ଉପରେ ବର୍ଷିଲା ଶିବସେନା । ମୁଖପତ୍ର ‘ସାମନା’ ମାଧ୍ୟମରେ କଡା ସମାଲୋଚନା

167

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ କାର୍ଯ୍ୟକଳାପର ଘଟଣାକ୍ରମକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଶିବସେନା । ଶିବସେନାର ମୁଖପତ୍ର ‘ସାମନା’ ମାଧ୍ୟମରେ ବିଜେପିକୁ କଡା ସମାଲୋଚନା କରାଯାଇଛି । ‘ସାମନା’ ରେ ବିଜେପିର ଅପରେସନ ଲୋଟସକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର କାର୍ଯ୍ୟକଳାପ ସହ ତୁଳନା କରାଯାଇଛି । ସେପଟେ ଦଳ ପକ୍ଷରୁ କୁହାଯାଇଛି କି, ଦିଲ୍ଲୀରେ କେଜ୍ରିୱାଲ ସରକାର ଭାଙ୍ଗିବାରେ ଅପରେସନ ଲୋଟସ ବିଫଳ ହୋଇଛି । ବିରୋଧୀ ଶାସିତ ରାଜ୍ୟରେ ସରକାର ଭାଙ୍ଗିବା ସହ ବିରୋଧୀ ଦଳର ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ବିଜେପିରେ ସାମିଲ କରିବା ଭଳି କାର୍ଯ୍ୟ କରି ବିଜେପି ବିଷ୍ଣୁଙ୍କ ପ୍ରିୟ ଫୁଲ ପଦ୍ମର ବଦନାମ ହେଉଥିବା କଥା କହିଛି ଶିବସେନା ।

ଶିବସେନା କହିଛି କି ‘ଅପରେସନ ଲୋଟସ’ ଅଲ କାଏଦା ଭଳି ଏକ ଆତଙ୍କବାଦୀ ଶବ୍ଦରେ ପରିଣତ ହୋଇଛି । ଏହାସହ ‘ସାମନା’ରେ ଲେଖାଯାଇଛି କି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଯେଭଳି ଭାବେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଇଡି କି ସିବିଆଇ ଲଗାଇ ମୋ ସରକାର ଭାଙ୍ଗିଦିଅ ସେଥିରୁ ସ୍ପଷ୍ଟ ହେଉଛି ବିରୋଧୀଙ୍କ ସରକାର ଭାଙ୍ଗିବାରେ କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ବ୍ୟବହାର କରୁଛନ୍ତି ।

ସାମନାରେ ଆହୁରି ଲେଖାଯାଇଛି କି, ଆପ ନେତା ମନୀଷ ସିସୋଦିଆ ବିଜେପିର ‘ୱାଶିଂ ମେସିନ’ ଉପରେ ବୋମା ପକାଇ ଦେଇଛନ୍ତି। ବିଜେପିରେ ଯୋଗ ଦିଅନ୍ତୁ ଏବଂ ଆପ ବିଧାୟକଙ୍କୁ ନିଜ ପଟକୁ ଆଣନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଏସବୁ କଲେ ଆପଣଙ୍କ ବିରୋଧରେ ସିବିଆଇ ମାମଲା ବନ୍ଦ ହୋଇଯିବ’ ଏଭଳି ପ୍ରସ୍ତାବକୁ ସିସୋଡିଆଙ୍କୁ ବିଜେପି ଦେଇଥିଲା ବୋଲି ସାମନାରେ ଲେଖାଯାଇଛି ଜ୍ଝ ଉଲ୍ଲେଖ ଥାଉ କି ଗତକାଲି ଆପ ପକ୍ଷରୁ କୁହାଯାଇଥିଲା ଯେ ୪୦ ଜଣ ଆପ୍‌ ବିଧାୟକ ବିଜେପି ଟାର୍ଗେଟ୍‌ରେ ଥି‌ଲେ। ବିଜେପି ପ୍ରତି ବିଧାୟକଙ୍କୁ ୨୦ କୋଟି ଟଙ୍କାର ଅଫର ଦେଇଥିଲା। ବିଜେପି ମୋଟ୍‌ ୮୦୦ କୋଟି ଟଙ୍କା ବିନିମୟରେ ୪୦ ଆପ୍‌ ବିଧାୟକଙ୍କୁ କିଣିବାକୁ ଯୋଜନା କରିଥିଲା। କିନ୍ତୁ ବିଜେପିର ଷଡ଼ଯନ୍ତ୍ର ବିଫଳ ହୋଇଛି ଏବଂ ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ବୋଲି କେଜ୍ରିୱାଲ କହିଥିଲେ ।