ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗିରଫ । କାଲିଫର୍ଣ୍ଣିଆରେ ଧରିଲା ଗୁଇନ୍ଦା ବିଭାଗ ।

93

କନକ ବ୍ୟୁରୋ: ଧରାପଡିଛି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ । କାଲିଫର୍ଣ୍ଣିଆରୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗିରଫ କରିଛି ଗୁଇନ୍ଦା ବିଭାଗ । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବ୍ରାରଙ୍କୁ ଅଟକ ରଖାଯାଇଛି। ଭାରତର ଗୁଇନ୍ଦା ଏଜେନ୍ସିଗୁଡିକ ଆନ୍ତର୍ଜାତୀୟ ସୂତ୍ରରୁ ସୂଚନା ପାଇଥିଲେ ଯେ, ସିଦ୍ଧୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ ନଭେମ୍ବର ୨୦ କିମ୍ବା ଏହା ପୂର୍ବରୁ କାଲିଫର୍ନିଆରେ ଅଟକ ରଖାଯାଇଥିଲା। ତେବେ ଏପର୍ୟ୍ୟନ୍ତ ଏହି ପ୍ରସଙ୍ଗରେ କାଲିଫର୍ନିଆରୁ ଭାରତ ସରକାର କୌଣସି ସରକାରୀ ବିବୃତ୍ତି ଗ୍ରହଣ କରିନାହାଁନ୍ତି।

ସତିନ୍ଦରଜିତ୍ ସିଂହ ଓରଫ୍ ଗୋଲ୍ଡି ବରାର ଗାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ । ଗତ ବର୍ଷ ଯୁବା କଂଗ୍ରେସ ନେତା ଗୁରଲାଲ ସିଂହଙ୍କ ହତ୍ୟା ଘଟଣାରେ ପଞ୍ଜାବ ଫରିଦକୋଟ୍ ଜିଲ୍ଲା ଅଦାଲତ ଗୋଲ୍ଡି ବରାର ବିରୋଧରେ ଜାମିନ୍ ବିହୀନ ଗିରଫଦାରୀ ୱାରେଣ୍ଟ ଜାରି କରିଥିଲେ । ଏହାସହ ତା ବିରୋଧରେ ୧୬ରୁ ଅଧିକ ଅପରାଧିକ ମାମଲା ରହିଥିବ ଜଣାପଡିଛି । ନେତାଙ୍କ ହତ୍ୟା ପରେ ଗୋଲ୍ଡି କାନାଡା ଖସି ପଳାଇଥିଲା ।

ଚଳିତ ବର୍ଷ ମେ ୨୯ ତାରିଖରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । ଗୋଲ୍ଡି ଓ ଲରେନ୍ସ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସହାଯ୍ୟରେ ସିଦ୍ଧୁ ନିଜ ଜିପରେ ଯାଉଥିବାବେେଳେ ତାଙ୍କୁ ଆଖିବୁଜ ଗୁଳିଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ଜଣଙ୍କୁ ଗିରଫ କରିଥିଲା ।