ଗୋଳିଆ ହେଉଛି କେନ୍ଦ୍ରାପଡା ବିଧାନସଭା ଗଣିତ । ୩ ପ୍ରମୁଖ ଦଳ ଘୋଷଣା କରିନାହାନ୍ତି କୌଣସି ପ୍ରାର୍ଥୀ । ଏପଟେ ହାତ ଧରିଲେ ସିପ୍ରା ମଲ୍ଲିକ ।

608

କନକ ବ୍ୟୁରୋ: କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ତିନି ଦଳର ପ୍ରାର୍ଥୀ ଏବେ ବି ଝୁଲି କି ରହିଛି । ତିନି ଦଳ ଏଯାବତ ସସପେନ୍ସ ଜାରି ରଖିଛନ୍ତି । ଆଉ ଠିକ ଏତିକି ବେଳେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି ଗଣେଶ୍ୱର ବେହେରା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଏବେର ବିଜେଡି ବିଧାୟକ ଶଶୀଭୂଷଣ ସେଭଳି ସକ୍ରିୟ ରହୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଜେପି ମଧ୍ୟ ଛକାପଞ୍ଝା ଭିତରେ ରହୁଛି ବୋଲି କୁହାଯାଉଛି ।

  • କେନ୍ଦ୍ରାପଡାରେ ବଦଳିବ କି ସମୀକରଣ
  • ସିପ୍ରା କଂଗ୍ରେସକୁ ଯିବା ପରେ ବଢିଲା ଚର୍ଚ୍ଚା

କେନ୍ଦ୍ରପଡା ରାଜନୀତିରେ ବଦଳୁଛି ଚିତ୍ର । କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । କିଛି ଦିନ ତଳେ ସେ ନବୀନ ନିବାସ ଆସି ଟିକେଟ ପାଇଁ ବାୟୋଡାଟା ଦେଇଥିଲେ । କିନ୍ତୁ ଏବେ ଟିକେଟ ପାଇବା ଆଶା ମଉଳିବା ପରେ କଂଗ୍ରେସକୁ ଆସିଛନ୍ତି । କଂଗ୍ରେସ ଭବନରେ ମିଶିବା ପରେ ସିପ୍ରା କହିଛନ୍ତି , ଟିକେଟ ନେଇ ଆଲୋଚନା ହୋଇନାହିଁ । କିନ୍ତୁ କେନ୍ଦ୍ରପଡାରୁ ଲଢିବାକୁ ନେଇ ଆଶାବାଦୀ ଅଛି । ହେଲେ ଏବେ ସିପ୍ରାଙ୍କ ଅଚାନକ କଂଗ୍ରେସ ପ୍ରବେଶ ଦଳରେ ଟିକେଟ ଦ୍ୱନ୍ଦ୍ୱକୁ ବଢାଇଦେଇଛି ।

  • ସକ୍ରିୟ ନାହାନ୍ତି ଶଶୀଭୂଷଣ
  • ଗଣେଶ୍ୱରଙ୍କୁ ମିଳିବ ବିଜେଡି ଟିକେଟ?

କେନ୍ଦ୍ରାପଡାରେ ୨୦୧୯ର ଚିତ୍ର ୨୦୨୪ରେ ନାହିଁ । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଗଣେଶ୍ୱର ବେହେରା ବିଜେଡିର ମିଶିସାରିଛନ୍ତି । ତେଣୁ ତାଙ୍କୁ ଟିକେଟ ମିଳିବା ପକ୍କା ବୋଲି କୁହାଯାଉଛି । ୨୦୧୯ରେ ବି ନାମାଙ୍କନର ଶେଷ ଦିନରେ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ଶଶୀଭୂଷଣ ବେହେରା ଏଠାରୁ ପ୍ରାର୍ଥୀ ହୋଇଥିଲେ । ଏଥର କିନ୍ତୁ ନେତାଙ୍କ ଦଳ ଡିଆଁ ଯୋଗୁଁ ଚିତ୍ର ବଦଳିଛି ।

  • ବିଜେପିର ପ୍ରାର୍ଥୀ ଘୋଷଣାରେ ବିଳମ୍ବ
  • ପ୍ରାର୍ଥୀ ଏକ, ଆଶାୟୀ ଅନେକ

ବିଜେଡି ଓ କଂଗ୍ରେସ ଭଳି ବିଜେପି ବି ଏଠାରେ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏଠାରେ ବି ଅନେକ ଆଶାୟୀ ଅଛନ୍ତି । କିନ୍ତୁ ଶେଷରେ ବାଜି କିଏ ମାରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସୂଚନାଯୋଗ୍ୟ ଯେ, ୨୦୧୯ରେ କେନ୍ଦ୍ରପଡା ଆସନରେ ବିଜେଡି ଜିତିଥିବାବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲା । ଏବେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଯୋଗୁଁ ପ୍ରଚାର ବି ବିଳମ୍ବ ହୋଇଛି । ଆଉ ଆଶା ଓ ଆଶଙ୍କାରେ ଅଛନ୍ତି କେନ୍ଦ୍ରପଡା ନିର୍ବାଚନମଣ୍ଡଳୀରେ ନେତା,କର୍ମୀ ଓ ଭୋଟର ।