ଋଣ ଟଙ୍କା କାମରେ ଲଗାଉନାହାନ୍ତି ଏସଏଚଜି । ଠିକ ସମୟରେ କରିପାରୁନାହାନ୍ତି ଋଣ ପରିଶୋଧ ।

1,543

କନକ ବ୍ୟୁରୋ: ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଙ୍କୁ ନେଇ ଆସିଛି ଚକିତ କଲାଭଳି ରିପୋର୍ଟ । ଏସଏଚଜି ଗୁଡିକ ବିନା ସୁଧରେ ଯେଉଁ ରୁଣ ଉଠାଉଛନ୍ତି, ତାକୁ ସଠିକ୍ କାମରେ ଲଗାଉ ନାହାଁନ୍ତି । ଏହାସହ ଠିକ୍ ସମୟରେ ରୁଣ ପିରଶୋଧ କରି ପାରୁ ନାହାଁନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇ ଯାଇଛି ।

ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଙ୍କକୁ ନେଇ ଏମିତି କିଛି ଚମକାଇ ଦେବା ଭଳି ତଥ୍ୟ ଦେଇଛି ବିଧାନସଭା ସ୍ଥାୟୀ କମିଟି । ଏସଏଚଜି ମହିଳାଙ୍କ ସଶକ୍ତିକରଣ ଲାଗି ବିନା ସୁଧରେ ସରକାର ଯୋଗାଇ ଦେଉଥିବା ରୁଣ, ଟଙ୍କାକୁ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଠିକ୍ ବାଟରେ ବିନିଯୋଗ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଅନୁସାରେ.
-‘ଏସଏଚଜି’ଗୁଡିକ ଯେଉଁସବୁ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଋଣ ନେଉଛନ୍ତି, ବାସ୍ତବକ୍ଷେତ୍ରରେ ତାହା କରୁନାହାନ୍ତି
– ବ୍ୟାଙ୍କରୁ ଆଣୁଥିବା ଋଣ ଠିକ ସମୟରେ ପରିଶୋଧ କରିପାରୁନାହାନ୍ତି

ତେବେ ଏସଏଚଜି ଗୁଡିକ କେମିତି ସେମାନଙ୍କ ଲକ୍ଷ୍ୟ ହାସଲ କରିବେ, ଆହୁରି ସଶକ୍ତ ହୋଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କମିଟି । ଯାହାକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ନେବାକୁ ସୁପାରିସ କରିଛି କମିଟି..
– ଏସଏଚଜି ସଦସ୍ୟାକୁ ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ତାଲିମ ଦିଆଯାଉ
– ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ପ୍ରତି ପଂଚାୟତରେ ସ୍ୱତନ୍ତ୍ର ବଜାର ସୃଷ୍ଟି କରାଯାଉ
– ଏମବିକେମାନେ ସେମାନଙ୍କ ଭୂମିକା ଠିକ୍ ଭାବରେ ନିର୍ବାହ କରନ୍ତୁ

ବିଧାନସଭା ସ୍ଥାୟୀ କମିଟିର ରିପୋର୍ଟ ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, କମିଟି ଦେଇଥିବା ରିପୋର୍ଟରେ ସତ୍ୟାସତ୍ୟ ରହିଛି । ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା, ତାକୁ ତଳ ସ୍ତରକୁ ନେଇ ଏସଏଚଜି ଗ୍ରୁପ୍ ଦ୍ୱାରା ଦୁର୍ନୀତି ହେଉଛି । ତେବେ ଜୟନାରାୟଣଙ୍କ ପ୍ରତିକ୍ରିୟା ପରେ ଜବାବ ରଖିଛି ବିଜେଡି । ସାଂସଦ ସୁଲତା ଦେଓ କହିଛନ୍ତି, ଜୟନାରାୟଣ ଏସଏଚଜି ମା’ମାନଙ୍କୁ ଅପମାନଙ୍କୁ ଅପମାନିତ କରିଛନ୍ତି । ଏହା ସାରା ଓଡି଼ଶାର ମା’ମାନଙ୍କ ପ୍ରତି ଅପମାନ ।

ରାଜ୍ୟ ସରକାରଙ୍କ ଫୋକସରେ ଥିବା ଏସଏଚଜିକୁ ନେଇ ବିଧାନସଭା କମିଟିର ରିପୋର୍ଟ, ଚମକାଇ ଦେଇଥିବାବେଳେ, ଏହାକୁ ନେଇ ରାଜନୈତିକ ବୟାନବାଜି ଆଗାମି ଦିନରେ ବଡ ବିତର୍କର ବିଷୟ ହୋଇପାରେ ।