ମରିଗଲା ମହାବୀର, ବାଘ ବଂଶ ବୃଦ୍ଧି ଯୋଜନାରେ ଲାଗିଲା ବ୍ରେକ୍!

172

କନକ ବ୍ୟୁରୋ : ବାଘ ମରିଗଲା, ମଣିଷ ବଂଚିଗଲା । ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ମହାବଳ ମହାବୀରର ମୃତ୍ୟୁ ହୋଇଛି । ତା ବେକରେ କ୍ଷତ ଚିହ୍ନ ଥିବା ବେଳେ ସଂକ୍ରମଣ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଜି ବାଘର ପୋଷ୍ଟମର୍ଟମ ପରେ ତାକୁ ପୋଡି ଦିଆଯାଇଛି । ତେବେ ମହାବୀରର ମୃତ୍ୟୁ ସହ ସାତକୋଶିଆରେ ପ୍ରୋଜେକ୍ଟ ଟାଇଗରକୁ ଲାଗିଛି ବଡ ଧରଣର ଝଟକା । ଗୋଟିଏ ପଟେ ବାଘୁଣୀ ସୁନ୍ଦରୀର ଆତଙ୍କରୁ ବଡଧରଣର ବିବାଦ ପରେ ତାକୁ ବର୍ତମାନ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରରେ ରଖାଯାଇଛି । ଅନ୍ୟପଟେ ସାତକୋଶିଆରେ ସ୍ୱାଭାବିକ ଚଳପ୍ରଚଳ କରୁଥିବା ମହାବୀର ପ୍ରାଣ ହରାଇଛି ।

ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଆଶା, ଆଶାରେ ହିଁ ରହିଗଲା । ପ୍ରାୟ ୫ ମାସ ତଳେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆକୁ ଅଣାଯାଇଥିବା ମହାବଳ ମହାବୀରର ହଠାତ୍ ମୃତ୍ୟୁ ହୋଇଛି । ଆଉ ମହାବୀରର ମୃତ୍ୟୁ ସହ ଓଡିଶାରେ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଛି ବଡ ଧରଣର ଝଟକା । ଗୋଟିଏ ପଟେ ବାଘୁଣୀ ସୁନ୍ଦରୀ ଜନବସତିକୁ ଯାଇ ଲୋକଙ୍କୁ ଆକ୍ରମଣ କରୁଥିବା ବେଳେ ମହାବୀର କିନ୍ତୁ ଜଙ୍ଗଲରେ ସ୍ୱାଭାବିକ ଭାବେ ଚଳପ୍ରଚଳ କରୁଥିଲା । ମହାବଳର ଆଚରଣ ଓ ବିଚରଣ ଠିକ୍ ରହିଥିଲା । ତେଣୁ ମହାବୀରକୁ ନେଇ ସାତକୋଶିଆରେ ବାଘ ବଂଶବୃଦ୍ଧିର ଯୋଜନା ସଫଳ ହେବା ନେଇ ଆଶା କରାଯାଇଥିଲା ।

ବନ ବିଭାଗ କହିଛି, ପ୍ରାୟ ୬ ଫୁଟ ଲମ୍ବର ଏହି ଜଙ୍ଗଲୀ ମହାବଳର ବେକରେ ବଡ ଧରଣର କ୍ଷତ ଚିହ୍ନ ରହିଥିଲା । ବେକରେ ଆଘାତ ପରେ ସଂକ୍ରମଣ ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସାତକୋଶିଆ ରାଇଗୁଡା ରେଞ୍ଜର କୋର ଏରିଆରେ ସ୍ୱାଭାବିକ ଭାବେ ଘୁରି ବୁଲୁଥିଲା ମହାବୀର । କିନ୍ତୁ ହଠାତ୍ ମହାବୀରର ବେକରେ ଲଗାଯାଇଥିବା ରେଡିଓ କଲାର ସ୍ଥିର ହୋଇଯାଇଥିଲା । ଜଣାପଡିଥିଲା ଯେ, ମହାବୀର ଆଉ ଚଳପ୍ରଚଳ କରୁନାହିଁ । ଏହାର ପ୍ରାୟ ୨୪ ଘଂଟା ପରେ ବାଘର ହାର୍ଟବିଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ବନ ବିଭାଗ ସ୍ପଷ୍ଟ ହୋଇଯାଇଥିଲା, ମହାବୀରର ମୃତ୍ୟୁ ହୋଇଛି ।

ତେବେ ପ୍ରଶ୍ନ ଉଠୁଛି, ବାଘ ବେକରେ ଏହି କ୍ଷତ ହେଲା କେମିତି । ଶିକାରୀ ଫାଶରେ ମହାବୀର ପଡିଯାଇଥିବା ସଂଦେହ କରାଯାଉଛି । ବେକରେ ସୃଷ୍ଟି ହୋଇଥିବା କ୍ଷତ, ତାର ଜୀବନ ନେଇଗଲା ବୋଲି ଅନୁମାନ କରାଯାଉଛି ।ଦୀର୍ଘ ୫ ମାସ ହେଲା ସାତକୋଶିଆର କୋର୍ ଏରିଆରେ ରହୁଥିଲା ମହାବୀର । ଗାଁ ପାଖକୁ ଆସି କେବେ ଆତଙ୍କ ସୃଷ୍ଟି କରିନଥିଲା । ବାନ୍ଧବଗଡରୁ ଆସିଥିବା ସୁନ୍ଦରୀ ସହ କେବେ ମୁହାଁମୁହିଁ ହୋଇନଥିଲା ମହାବୀର । ହେଲେ ସାତକୋଶିଆରେ ରହୁଥିବା ଆଉ ଏକ ବାଘୁଣୀ ସହ ମହାବୀର ସମ୍ପର୍କ ସ୍ଥାପନ କରିଥିଲା । କୁହାଯାଉଛି, ଜାନୁଆରୀ ସୁଦ୍ଧା ବାଘୁଣୀ ଛୁଆ ଜନ୍ମ କରିପାରେ । ତେବେ ଏହା ପୂର୍ବରୁ ଆଖି ବୁଜିଦେଇଛି ମହାବୀର । ଆଉ ଶେଷ ହୋଇଯାଇଛି ସାତକୋଶିଆରେ ବାଘ ବଂଶ ବୃଦ୍ଧିର ସ୍ୱପ୍ନ ।