କେମିତି ମଉଳିଲା ମଧ୍ୟବିତ୍ତର ସ୍ୱପ୍ନ ? ସମ୍ବଲପୁରରୁ ଆସିଲା ଆତ୍ମହତ୍ୟା ପୂର୍ବର କାହାଣୀ, ବାଇକ ବନ୍ଧା ରଖି ପରିଚିତଙ୍କ ଠାରୁ ଚାହିଁଥିଲେ ସାହାଯ୍ୟ

50

କନକ ବ୍ୟୁରୋ : ସେମିତି ଥୁଆ ହୋଇଛି ହାରମୋନିୟମ୍, ସେମିତି ଥୁଆ ହୋଇଛି ତବଲା । ସୁର-ତାଳର ବ୍ୟାକରଣ ବୁଝାଇବା ପାଇଁ ବ୍ୟବହାର କରୁଥିବା ହାତଲେଖା ନୋଟ୍ ବୁକ୍ ବି ସେମିତି ପଡ଼ି ରହିଛି । ଖାଁ ଖାଁ ଲାଗୁଥିବା ସଂଗୀତ ଶିକ୍ଷାଗୃହ ବୋଧେ ଖୋଜୁଛି, ନିଜର ପ୍ରିୟ ସଂଗୀତ ଶିକ୍ଷକ ଧରଣୀଧର ପଣ୍ଡାଙ୍କୁ । ସହ-ଶିକ୍ଷକ ବି ଝୁରି ହେଉଛନ୍ତି । ହେଲେ ଧରଣୀଧର ସାର୍, ଚାଲି ଯାଇଛନ୍ତି କେଉଁ ଅଜଣା ଦୁନିଆକୁ । ଯେଉଁଠି ବଂଚିବା ପାଇଁ ଲୋଡ଼ା ନଥିବ ଅର୍ଥ, ନା’ ଗୁରୁରାଣ ମେଂଟାଇବା ପାଇଁ ଆବଶ୍ୟକ ହେଉଥିବ ମୋଟା ଦରମା।

ଦୁଇ ଦୁଇ ମାସର ଘର ଭଡ଼ା ବାକି ପଡ଼ିଥିଲା । ତା ସାଙ୍ଗକୁ ହାତ ଉଧାରୀ । ଟଙ୍କା ଫେରାଉ ନଥିବାରୁ ମିଳୁଥିଲା ଅପମାନ ଓ ଧମକ୍ । ବହୁ କଷ୍ଟରେ କରିଥିବା ବାଇକକୁ ବନ୍ଧକ ରଖିବାକୁ ବି ନିଷ୍ପତ୍ତି ନେଇଥିଲେ । ହେଲେ ୨୦ ହଜାର ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହୋଇ ନଥିଲେ ଧରଣୀଧର । ଆଉ ସବୁ ବାଟ ଯେତେବେଳେ ବନ୍ଦ ହୋଇଗଲା, ବାଛି ନେଇଥିଲେ ଆତ୍ମହତ୍ୟାର ବାଟ ।

ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ପରିବାର ଚଳାଉଥିବା, ଧରଣୀଧରଙ୍କର ମାସିକ ଦରମା ଥିଲା ୧୨ ହଜାର । ଟ୍ୟୁସନ୍ କରି ୪ରୁ ୫ ହଜାର ରୋଜଗାର ବି କରୁଥିଲେ । ଉପରକୁ ପୁଣି ଝିଅଙ୍କ ପାଠପଢ଼ା । ୩-୩ଟି ଝିଅ ସହ ୫ ଜଣିଆ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ ସଂଭବ ହେଉନଥିଲା । ବଡ ଝିଅ ଅନନ୍ୟା ପଣ୍ଡା, ଯିଏ ଖୁବ୍ ମେଧାବୀ । ମାଟ୍ରିକରେ ପ୍ରାୟ ୧୦ ସିଜିପିଏ ହାରରେ ମାଟ୍ରିକ ହେବା ପରେ ଯୁକ୍ତ ଦୁଇ ପଢ଼ୁଥିଲେ । ମଝିଆଁ ଝିଅ ଅପରାଜିତା ପଣ୍ଡା ଯିଏ ବାବା ପଢ଼ାଉଥିବା ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ । ସ୍କୁଲ ଶିକ୍ଷକଙ୍କ କହିବା କଥା ହେଲା, ଅପରାଜିତା ବି ଥିଲେ ମେଧାବୀ ଛାତ୍ରୀ ।

ଏପଟେ ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଲୱେ ପୁଲିସ୍ ଏସପି । ଧରଣୀଧରଙ୍କ ଆୟ ବ୍ୟୟ ହିସାବ ଏବଂ ଋଣ ସଂପର୍କିତ ତଥ୍ୟକୁ ଏହାର ପରିସର ଭୁକ୍ତ କରିବାକୁ ନିଦ୍ଦେଶ ଦିଆଯାଇଛି । ଧରଣୀଧରଙ୍କ କାହାଣୀ, ନିମ୍ନମଧ୍ୟବିତ୍ତର କାହାଣୀ । ଯିଏ, ପୁଅ-ଝିଅଙ୍କୁ ନେଇ ବଡ ବଡ ସ୍ୱପ୍ନ ଦେଖେ । ଆଉ ଏଥିପାଇଁ ଜୀବନବ୍ୟାପି ସଂଘର୍ଷ କରେ । ଆଉ ଯେତେବେଳେ ହାରି ଯାଏ ବୋଧହୁଏ, ଏହି ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୁଏ ।