ପନ୍ତ ନା କାର୍ତ୍ତିକ କିଏ ହେବେ ଆଉଟ? ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ୧୧

179

କନକ ବ୍ୟୁରୋ: ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ ହେବାକୁ ଯାଉଛି । ୭ଟା ୩୦ରେ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଆଉ ପାକିସ୍ତାନ । ତେବେ ଏହି ମ୍ୟାଚ ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ମୈଦାନକୁ ଓହ୍ଲାଇବ ସେହିପରି ପାକିସ୍ତାନ ଟିମର କମାଣ ସମ୍ଭାଳିଛନ୍ତି ବାବାର ଆଜମ । ତେବେ ଭାରତ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି ୱିକେଟ କିପର । ରିଷବ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ଭିତରେ କାହାକୁ ସୁଯୋଗ ମିଳିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଯଦି ଆମେ ଭାରତର ପ୍ଲେଇଙ୍ଗ ୧୧ କଥା ଦେଖିବା ତେବେ ରୋହିତ ଶର୍ମାଙ୍କ ସହ କେଏଲ ରାହୁଲ ଓପନିଂ କରିବାକୁ ଆସିପାରନ୍ତି । ସେହିପରି ତୃତୀୟରେ କୋହଲି ଆସିପାରନ୍ତି । ଏହାପରେ ମିଡିଲ ଅର୍ଡରର ଦାୟିତ୍ୱ ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିପାରେ । ଏହାପରେ ୱିକେଟ କିପର ଚୟନରେ ଦଳ ଦ୍ୱନ୍ଦ୍ୱରେ ରହିପାରେ । ପନ୍ତ ଓ କାର୍ତ୍ତିକଙ୍କ ମଧ୍ୟରୁ ଦଳ କାହାକୁ ଚୟନ କରୁଛି ତାହା ଉପରେ ନଜର ରହିବ ।

ଏହାପରେ ୭ ନମ୍ବରରେ ସ୍ପିନ ଅଲରାଉଣ୍ଡରରେ ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିପାରେ । ସେହିପରି ଦ୍ୱିତୀୟ ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ । ଏହାସହ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ନଚେତ ତାଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ସ୍ଥାନ ମିଳିପାରେ । ଏହାବ୍ୟତୀତ ଭୁବନେଶ୍ୱର ଓ ଅର୍ଶଦୀପ ସିଂ ବୋଲର ଭାବେ ଚୟନ ହୋଇପାରନ୍ତି ।