ସୂର୍ଯ୍ୟଙ୍କ ପ୍ରଂଶସାରେ ଶତମୁଖ ୱାଟସନ୍: କହିଲେ, ସୂର୍ଯ୍ୟଙ୍କ ଭଳି ଖେଳିବା ମୁସ୍କିଲ

2,264

କନକ ବ୍ୟୁରୋ : ଗୁରୁବାର ଟି-୨୦ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ବିଜୟ ସହ ଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଆଡିଲେଡରେ ଏହି ମ୍ୟାଚ୍ ହେବାକୁ ଥିବା ବେଳେ ଏହାପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂର୍ଯ୍ୟକୁମାରଙ୍କୁ ଏବେ ଛୁଟୁଛି ପ୍ରଂଶସାର ସୁଅ । ଯେଉଁ ତାଲିକାରେ ଯୋଡି ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ବ୍ୟାଟର ସେନ ୱାଟସନ । ଆଉ ୱାଟସନ ଯେଉଁ ଢଙ୍ଗରେ ସୂର୍ଯ୍ୟକୁମାରଙ୍କୁୂ ପ୍ରଂଶସା କରିଛନ୍ତି ତାହା ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟ ଜିଣିଛି ।

ସୂର୍ଯ୍ୟକୁମାର ଯାଦବ ଚଳିତ ଟି-୨୦ ବିଶ୍ୱକପର ଦମଦାର ଫର୍ମରେ ରହିଛନ୍ତି । ୫ ମ୍ୟାଚରୁ ୨୦୦ ଷ୍ଟ୍ରାଇକରେଟରେ ୨୨୫ ରନ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ସବୁଠୁ ବଡ କଥା ହେଲା ୫ଟି ଇନିଂସରୁ ୩ଟି ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର । ଆଉ ସୂର୍ଯ୍ୟକୁମାରଙ୍କ ଏଭଳି ପ୍ରଦର୍ଶନକୁ ନେଇ ସେନ୍ ୱାଟସନ କହିଛନ୍ତି, ସୂର୍ଯ୍ୟଙ୍କ ବ୍ୟାଟିଂ ଦେଖିବାକୁ ବହୁତ ଭଲ ଲାଗେ । ଆଇପିଏଲ ସମୟରୁ ମୁଁ ତାଙ୍କୁ ଫଲୋ କରେ । ଆଇପିଏଲରେ ଖେଳାଳୀ ଯେମିତି ପ୍ରଦର୍ଶନ କରିଥାନ୍ତି ତାହାକୁ ଅନ୍ତର୍ଜାତୀୟ କ୍ରିକେଟରେ ଦୋହରାଇବା ସହଜ ନୁହେଁ । ଖାସକରି ଅଷ୍ଟ୍ରେଲିଆ ଭଳି ଦେଶକୁ ଆସି ଲଗାତାର ରନ୍ କରିବା ଛୋଟ କଥା ନୁହେଁ । ବୋଲରଙ୍କ ବୋଲିଂ କୌଶଳକୁ ବୁଝିବା ଓ ବିଭିନ୍ନ ଶୈଳୀରେ ସଟ୍ ଖେଳିବା ବହୁତ ମଜାଦାର । ଅଷ୍ଟ୍ରେଲିଆର ବଡ ବଡ ମୈଦାନରେ ରନ୍ କରିବା ସବୁଠୁ ବଡ ଉପଲବ୍ଧି । ସୂର୍ଯ୍ୟକୁମାର ଯେମିତି ଖେଳୁଛନ୍ତି ତାହା ବହୁତ କମ ଲୋକ କରିପାରନ୍ତି ।

ଜିମ୍ବାୱେ ବିପକ୍ଷରେ ବିସ୍ଫୋରକ ଇନିଂସ ପରେ ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି ସୂର୍ଯ୍ୟ । ଏପରିକି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ମଧ୍ୟ ପ୍ରଂଶସା କରିବାକୁ ଯାଇ କହିଛନ୍ତି, ସୂର୍ଯ୍ୟ ଯେମିତି ଖେଳୁଛନ୍ତି ଲାଗୁଛି ଭିନ୍ନ ଏକ ଗ୍ରହରୁ ସେ ଆସିଛନ୍ତି । ସୂର୍ଯ୍ୟ ଅନ୍ୟମାନଙ୍କଠାରୁ ପୂରା ଅଲଗା ଖେଳାଳି । ସେ କେବଳ ଜିମ୍ବାୱେ ନୁହେଁ ବରଂ ବିଶ୍ୱର ବଡ ବଡ ଟିମ ବିପକ୍ଷରେ ଆକ୍ରାଣାତ୍ମକ ଭାବେ ବ୍ୟାଟିଂ କରିଥାନ୍ତି । ସେହିପରି ୱାକାର ୟୁନିସ କହିଛନ୍ତି, ସୂର୍ଯ୍ୟଙ୍କ ବିପକ୍ଷରେ କୌଣସି ପ୍ଲାନ କରିବା ସମ୍ଭବ ନୁହେଁ । ବୋଲର କରିବ ତ କଣ କରିପାରିବ ।

ପଡିଆର ବିଭିନ୍ନ ଦିଗକୁ ସଟ୍ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ କ୍ରିକେଟ ପ୍ରଂଶସକ ମାନେ ମିଷ୍ଟର ୩୬୦ ବୋଲି କହୁଛନ୍ତି । ହେଲେ ସୂର୍ଯ୍ୟ ଏହାର ଜବାବ ରଖିଛନ୍ତି କହିଛନ୍ତି ଦୁନିଆରେ କେବଳ ଜଣେ ମିଷ୍ଟର ୩୬୦, ଆଉ ସେ ହେଉଛନ୍ତି ଡିଭିଲିୟର୍ସ । ଆଉ ଏଭଳି ଚର୍ଚ୍ଚା ଭିତରେ ଟ୍ୱିଟ୍ କରି ଡିଭିଲିୟର୍ସ କହିଛନ୍ତି, ଆପଣ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ବହୁତ ଭଲ ଖେଳୁଛ, ମୋ ଠାରୁ ଆଗକୁ ଯାଅ ।

ଏସବୁ ଭିତରେ ୨୦୨୨ରେ ସୂର୍ଯ୍ୟ କୁମାର ଟି-୨୦ରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସର ହୋଇଛନ୍ତି । ଚଳିତ ଟି-୨୦ କ୍ୟାଲେଣ୍ଡର ବର୍ଷରେ ୧ ହଜାର ରନ ପୂରା କରିଛନ୍ତି ସୂର୍ଯ୍ୟ । ଗୋଟିଏ ବର୍ଷରେ ୧ ହଜାର ରନ ପୂରା କରିଥିବା ସେ ପ୍ରଥମ ଭାରତୀୟ ମଧ୍ୟ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଧୂଆଁଧାର ଇଂନିସ ଯୋଗୁଁ ସେ ଆଇସିସି ଟି-୨୦ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । କେବଳ ସେତିକିରେ ତାଙ୍କ ବ୍ୟାଟ ରୋକିନି ସେ ଚଳିତ ଟି-୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ସର୍ବାଧିକ ରନ କରିଛନ୍ତି ।