ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଲେଖିଲେ ଚିଠି, କେଜ୍ରିୱାଲଙ୍କ ଇସ୍ତଫା ଦାବି

189

କନକ ବ୍ୟୁରୋ : ଗୋଟିଏ ପଟେ ହିମାଚଳ ଓ ଗୁଜରାଟ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଆମ୍ ଆଦମୀ ପାର୍ଟି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ସୁକେଶଙ୍କର ଗୋଟିଏ ପରେ ଗୋଟିଏ ଚିଠି ଏବେ ଆମ୍ ଆଦମୀ ପାର୍ଟିର ଛବିକୁ ମଳିନ କରିବାରେ ଲାଗିଛି । ସୁକେଶ ଗୋଟିଏ ପରେ ଗୋଟିଏ ଖୁଲାସା କରୁଥିବା ବେଳେ ଏହାକୁ ଅସ୍ତ୍ର କରିବାରେ ଲାଗିଛି ବିଜେପି ।

ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ ଜେଲରୁ ଥାଇ ଦିଲ୍ଲୀ ଉପରାଜ୍ୟପାଳ ବି.କେ ସକସେନାଙ୍କୁ ୪ ଟି ଚିଠି ଲେଖିଛନ୍ତି । ଏଥିରେ ସେ ଆମ୍ ଆଦମୀ ପାର୍ଟିର ଅଭିଯୋଗ ଉପରେ ଜବାବ ଦେବା ସହ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛନ୍ତି ।

ଏବେ ଲେଖିଥିବା ଚିଠିରେ ଆମ୍ ଆଦମୀ ପାର୍ଟି ଉପରେ ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି ସୁକେଶ । ସେ ଲେଖିଛନ୍ତି ଯେ ଗୋଆ ଓ ପଞ୍ଜାବ ନିର୍ବାଚନ ବେଳେ ଆମ୍ ଆଦମୀ ପାର୍ଟି ତାଙ୍କୁ ଚାନ୍ଦା ମାଗିଥିଲା ଓ ସେ ଦେଇଥିଲେ ମଧ୍ୟ । ଏହାସହ ସେ ଯଦି ମିଛ କହୁଛନ୍ତି ତେବେ ଅରବିନ୍ଦ କେଜ୍ରିୱାଲ ସତ୍ୟନ୍ଦ୍ର ଜୈନଙ୍କ ଉପରେ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ କେଜ୍ରିୱାଲ ତାଙ୍କ ଉପରେ କାହିଁକି ଚାପ ପକାଉଛନ୍ତି ବୋଲି ସୁକେଶ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଜେଲ ପ୍ରଶାସନ ମାଧ୍ୟମରେ ତାଙ୍କୁ ଅଫର ଦେବା ସହ ଧମକ ଦିଆଯାଉଛି ବୋଲି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ସୁକେଶ ଉଲ୍ଲେଖ କରିଛନ୍ତି ।