ଲମ୍ବିଛି ନକଲି ସାର୍ଟିଫିକେଟ ଚେର : ଯୋଡି ହେଲା ଏକ ନୂଆ ଅଭିଯୋଗ; ଡାକ ବିଭାଗ ପକ୍ଷରୁ ରାୟଗଡା ଟାଉନ ଥାନାରେ ଏତଲା

1,092

କନକ ବ୍ୟୁରୋ : ଲମ୍ବି ଲମ୍ବି ଚାଲିଛି ଫେକ୍ ସାର୍ଟିଫିକେଟର ଚେର । ଏହି ମାମଲାରେ ଯୋଡି ହୋଇଯାଇଛି ଏକ ନୂଆ ଅଭିଯୋଗ । ରାୟଗଡାରେ ଗ୍ରାମୀଣ ଡାକ ସେବା ପାଇଁ ଆବେଦନ ବେଳେ ଧରାପଡିଛି ୟୁପି ବୋର୍ଡର ନକଲି ମାଟ୍ରିକ ସାର୍ଟିଫିକେଟ । ଡାକ ବିଭାଗ ପକ୍ଷରୁ ରାୟଗଡା ଟାଉନ ଥାନାରେ ଏନେଇ ଏତଲା ଦିଆଯାଇଛି ।

ସୂଚନା ଅନୁସାରେ ଗ୍ରାମୀଣ ଡାକ ସେବାର ଆବେଦନର ଦ୍ୱିତୀୟ ପର୍ଯ୍ୟାୟ ସାର୍ଟିଫିକେଟ ଯାଞ୍ଚର ଶେଷ ଦିନରେ ୩୪ ଜଣ ଆବେଦନକାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା । ଏହାରି ଭିତରେ ଆବେଦନକାରୀ ରବି ହିଆଲଙ୍କ ସାର୍ଟିଫିକେଟ ଯାଞ୍ଚ ବେଳେ ସନ୍ଦେହ ଉପୁଜିଥିଲା । ୨୦୧୧ରେ ରବି, ୟୁପି ବୋର୍ଡରୁ ମାଟ୍ରିକ ପାସ୍ କରିଥିବା ସାର୍ଟିଫିକେଟ ଦେଇଥିଲେ । ସନ୍ଦେହ ହେବାରୁ ଡିଜି ଲକର ଓ ୟୁପି ବୋର୍ଡରେ ଖୋଲତାଡ କରିବା ପରେ ତାହା ନକଲି ବୋଲି ଜଣାପଡିଥିଲା । ଏହି ମାଟ୍ରିକ ସାର୍ଟିଫିକେଟରେ ୟୁପି ବୋର୍ଡର ରାଞ୍ଚି ସେଣ୍ଟରରେ ୨୦୧୧ ବର୍ଷରେ ପରୀକ୍ଷା ଦେଇଥିବା ଦର୍ଶାଯାଇଛି ।

ଏବଂ ଓଡିଆ ବିଷୟ ଥାଇ ମାଟ୍ରିକ ପରୀକ୍ଷା ଦେଇ ସମସ୍ତ ବିଷୟରେ ୯୯ ପ୍ରତିଶତ ମାର୍କ ରଖି ପାସ୍ କରଥିବା ସାର୍ଟିଫିକେଟରେ ଉଲ୍ଲେଖ ରହିଛି । ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଘଟିଂଖାଲ ଗାଁର ରବି ହିଆଲ । ସେ ବିଷମକଟକ ବ୍ଳକରେ ଦଶମ ପରୀକ୍ଷା ନଦେଇ କେରଳ ଚାଲିଯାଇଥିଲେ ଦାଦନ ଖଟିବାକୁ । ତାଙ୍କୁ ଭିକାରୀ ମାଝି ନାମକ ଜଣେ ବ୍ୟକ୍ତି ଏହି ନକଲି ସାର୍ଟିଫିକେଟ ଦେଇଥିବା ସେ କହିଛନ୍ତି । ବର୍ତ୍ତମାନ ରବି ରାୟଗଡା ସ୍ଥିତ ଏକ ଘରୋଇ କଲେଜରେ ବିଟେକ୍ ବିଭାଗର ତୃତୀୟ ବର୍ଷର ଛାତ୍ର ।