ମହାନଦୀକୁ ନେଇ ଓଡ଼ିଶା ଉପରେ ବର୍ଷିଲେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ : କହିଲେ ଓଡ଼ିଶା ବଢ଼ାଉଛି ବିବାଦ; ୧୦ ବର୍ଷ ଧରି ସମସ୍ତ ପ୍ରକଳ୍ପକୁ ଅଟକାଇ ରଖିଛି

1,191

କନକ ବ୍ୟୁରୋ : ମହାନଦୀକୁ ନେଇ ଛତିଶଗଡ ଜଳ ସମ୍ପଦ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କନକ ନ୍ୟୁଜକୁ ଟେଲିଫୋନ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ । ଛତିଶଗଡ ତଥ୍ୟ ଆଦାନ ପ୍ରଦାନ କରୁନଥିବା ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି । ଏଥିସହ ସେ କହିଛନ୍ତି କି ଓଡିଶା ସବୁବେଳେ ବିବାଦ ବଢାଉଛି ଓ ୧୦ବର୍ଷ ଧରି ମହାନଦୀ ଉପରେ ସମସ୍ତ ପ୍ରକଳ୍ପ କାମ ଅଟକାଇ ରଖିଛି ଓଡିଶା ।

ମାମଲା ବିଚାରଧୀନ ରହିଛି । ଜଲଦି ସମସ୍ୟାର ସମାଧାନ ଚାହୁଁଛି ଛତିଶଗଡ । ଏଥିସହ ମନ୍ତ୍ରୀ ଚୌବେ କହିଛନ୍ତି ଯେ ବନ୍ୟା ପାଣି ତଳ ମୁଣ୍ଡକୁ ଯିବ । ରାୟଗଡ଼ ଜିଲ୍ଲା ସରିଆର ଅନ୍ତର୍ଗତ ପୋରଥ ମନ୍ଦିରର ଚିତ୍ର ସାମ୍ନାକୁ ଆସିଛି । ମହାନଦୀ କୂଳରେ ଥିବା ମନ୍ଦିରଟି ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇଛି । ଛତିଶଗଡ଼ରେ ମହାନଦୀ କିପରି କରାଳ ରୂପ ଧାରଣ କରିଛି ତାହା ଏହି ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ।

ଲଗାଣ ବର୍ଷା ଯୋଗୁ ଛତିଶଗଡ଼ରେ ବନ୍ୟା ସ୍ଥିତି ସଙ୍ଗୀନ୍ ହୋଇପଡ଼ିଛି । ବିପଦ ସଙ୍କେତଠାରୁ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଶିଓରୀ ନାରାୟଣ ପୋଲ ଉପରେ ଲହଡି ଭାଙ୍ଗୁଛଇ ପାଣି । ଚନ୍ଦ୍ରପୁର ଅଞ୍ଚଳରେ ବି ସମାନ ସ୍ଥିତି । ଅନେକ ଜିଲ୍ଲା ସହ ଜାଞ୍ଜଗିରି ଓ ଚାମ୍ପା ଜିଲ୍ଲା ବିଚ୍ଛିନ୍ନ ହୋଇପଡ଼ିଛି । ଜିଲ୍ଲାର ୧୨ରୁ ଅଧିକ ଗାଁ ଜଳମଗ୍ନ ହୋଇପଡ଼ିଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୁନାଦି ଗାଁକୁ ଖାଲି କରାଇଛି ପ୍ରଶାସନ । ସେପେଟ ବନ୍ୟା ବିପନ୍ନଙ୍କ ପାଇଁ ପ୍ରଶାସନ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି ।