କେନ୍ଦ୍ର ସରକାରଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଉଦ୍ଧବ ଠାକରେଙ୍କ କଟାକ୍ଷ, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଲେ ଏଭଳି କଥା

712

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ସାରା ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ହେଲେ ଆମକୁ ସମୀକ୍ଷା କରିବାକୁ ହେବ କି ସ୍ୱାଧୀନତାର ୭୫ ବର୍ଷରେ ଦେଶରେ ଲୋକତନ୍ତ୍ର ଆଉ କେତେ ବଞ୍ଚି ରହିଛି । ସେ ଆହୂୁରି କହିଛନ୍ତି ଆଜିକାଲି କେନ୍ଦ୍ର ସରକାର ଘରେ ଘରେ ତ୍ରିରଙ୍ଗା ଲଗାଇବାକୁ କହିଛନ୍ତି । ହେଲେ କିଛି ଦେଶରେ କିଛି ଏଭଳି ଲୋକ ଅଛନ୍ତି ଯାହା ପାଖରେ ତ୍ରିରଙ୍ଗା ତ ଅଛି ହେଲେ ଉଡାଇବା ପାଇଁ ତାଙ୍କ ପାଖରେ ଘର ନାହିଁ । ଡିପିରେ ତ୍ରିରଙ୍ଗା ରଖିବାକୁ ଉଦ୍ଧବ ସ୍ୱାଗତ କରିଥିବା ବେଳେ କହିଛନ୍ତି କି ଦେଶର ସୁରକ୍ଷା ପାଇଁ ସୀମାରେ ଲଢେଇ କରୁଥିବା ଯବାନଙ୍କ ବଜେଟ କେନ୍ଦ୍ର ସରକାର କାଟି କେଉଁ ଦେଶପ୍ରେମର ପ୍ରମାଣ ଦେବାକୁ ଚାହୁଁଛନ୍ତି ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ।

ଏହି ଆଧାରରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ଯେଉଁ ସରକାର ପାଖରେ ସେନାଙ୍କ ଭୋଜନ ପାଇଁ ଟଙ୍କା ନାହିଁ ସେହି ସରକାର ବିରୋଧୀ ଶାସିତ ରାଜ୍ୟର ବିଧାୟକ କିଣିବାକୁ କେଉଁଠୁ ଏତେ ଟଙ୍କା ଆଣୁଛନ୍ତି । ଉଦ୍ଧବ ଚୀନ ଓ ଅରୁଣାଚଳ ପ୍ରସଙ୍ଗରେ କହିଛନ୍ତି କି ଯଦି ଘରେ ଘରେ ତ୍ରିରଙ୍ଗା ଉଡାଇଲେ ଚୀନ ଭାରତର ଯେଉଁ ସ୍ଥାନ ଅଧିକାର କରିଛି ତାହାକୁ ଖାଲି କରିଦେବ ତେବେ ତ୍ରିରଙ୍ଗା ଉଡାଇବାରେ କୌଣସି ଆପତ୍ତି ନାହିଁ ।

ସେ ଆହୁରି କହିଛନ୍ତି କେବଳ ଘରେ ନୁହେଁ ହୃଦୟରେ ବି ତ୍ରିରଙ୍ଗା ରହିବା ଆବଶ୍ୟକ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଞ୍ଚଳିକ ଦଳମାନଙ୍କୁ ସମାପ୍ତ କରିବାକୁ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଉପରେ ଉଦ୍ଧବ କହିଛନ୍ତି ବିଜେପି ଅଧ୍ୟକ୍ଷଙ୍କ ଏଭଳି ବୟାନକୁ ଏବେ ଲୋକମାନେ ବିଚାର କରିବାର ସମୟ ଆସିଯାଇଛି ।