ରଥଟଣା ପାଇଁ କେଉଁଠୁ ଆସେ ମହାପ୍ରଭୁଙ୍କ ରଥ ଦଉଡ଼ି ?

131

ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ଶେଷ କରିବା ପରେ ରଥରୁ ଚାରମାଳ(ତାଳ ଓ ନଡିଆ ଗଛ କାଠରେ ଚାରମାଳ ପ୍ରସ୍ତୁତ ହୋଇଥାଏ) ଭୋଇ ସେବକମାନଙ୍କ ସହାୟତାରେ ଖୋଲାଯାଇଥାଏ । ତା’ପରେ ସାରଥି ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି ଦ୍ୱାରା ବାନ୍ଧି ଥାଆନ୍ତି । ଏହାପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡିକୁ ରଥରେ ଲଗାଯାଇଥାଏ । ପ୍ରତି ରଥରେ ୪ ଟି ଲେଖାଏଁ ଦଉଡି ଲାଗିଥାଏ । ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ତାହାର ଦଉଡି । ଏହି ପବିତ୍ର ଦଉଡିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି । ଗତ କିଛିବର୍ଷ ଧରି ଏହି ଦଉଡି ରାଜ୍ୟ କେରଳ କଏର୍ ନିଗମରୁ ଆଣାଯାଉଛି । ପୂର୍ବରୁ କଲିକତାର କଏର୍ ବୋର୍ଡ ଏହି ଦଉଡି ଯୋଗାଉଥିଲା । ଦଉଡିର ମାପ ଓ ସଂଖ୍ୟା ନିମ୍ନରେ ଦିଆଯାଇଛି

(୧) ୮ ଇଞ୍ଚ ଗୋଲେଇ ବିଶିଷ୍ଟ ୨୨୦ ଫୁଟ ଲମ୍ବର ୧୨ ଗୋଟି ଦଉଡି ତିନି ରଥ ଲାଗି ଦରକାର ହୋଇଥାଏ ।

(୨) ୩ ଇଞ୍ଚ ଗୋଲେଇ ବିଶିଷ୍ଟ ୪୫୯ ଫୁଟ ଲମ୍ବର ଦଉଡି ରଥ ଘେର ଲାଗି ଦରକାର ହୁଏ ।

(୩) ୨୨୦ ଫୁଟ ଲମ୍ବର ଏକଗୋଟି ଦଉଡି ଜରୁରୀ କାର୍ଯ୍ୟପାଇଁ ସଂରକ୍ଷିତ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ଯେ, ଦଉଡି କ୍ରୟ ବାବଦରେ ମନ୍ଦିର ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ସର୍ବପ୍ରଥମେ ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣାଯାଇଥାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାଆନ୍ତି । ଡାହୁକ ରଥ ଉପରେ ଠିଆ ହୋଇ ଯୋଡି ଲମ୍ବା ବେତ ଧରି ‘ରଥ ବୋଲି’ ଗୀତ ଗାଇ ଭକ୍ତମାନଙ୍କୁ ଆମୋଦିତ କରିଥାଆନ୍ତି ।

ଜାତି, ଧର୍ମ,ମତ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାଆନ୍ତି । ଭକ୍ତମାନେ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡଦାଣ୍ଡ (ରାଜାଦାଣ୍ଡ) ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ତାଳଧ୍ୱଜ ରଥ ଉପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାଯାଇଥାଏ । ଏହି ରଥଟଣା ସମୟରେ ବିଭିନ୍ନ ମଠ, ଯାଗା, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ ଦାଣ୍ଡର ଉଭୟ ପାଶ୍ୱର୍ରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ କରାଯାଇଥାଏ । ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିର ଠାକୁରମାନଙ୍କୁ ପୋଡ ପିଠା ଭୋଗ ଲାଗିଥାଏ ।

ପ୍ରତିବର୍ଷ ତିନିରଥ ଟଣାଯିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶକ ଦଳ ଗଢାଯାଇଥାଏ । ଏହି ଦଳରେ ଜଣେ ପୂର୍ତ୍ତବିଭାଗର ବରିଷ୍ଠ ଇଞ୍ଜିନିୟର, ଶ୍ରୀମନ୍ଦିର ବିଭିନ୍ନ ପଦାଧିକାରୀ ତଥା କର୍ମଚାରୀ, ଭୋଇ, ମହାରଣା, ଜିଲ୍ଲା ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟମାନେ ସାମିଲ ହୋଇଥାଆନ୍ତିା ଏତତ୍ ବ୍ୟତୀତ ପ୍ରତି ରଥ ଉପରେ ଶ୍ରୀ ମନ୍ଦିରର ପୋଲିସ କର୍ମଚାରୀ(ବରକନ୍ଦାଜ) ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ ହେବା ସହିତ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ଏକ ପତାକା ଧରି ରଥ ଟଣାର ନିୟନ୍ତ୍ରଣ କାର୍ଯ୍ୟ କରିଥାଆନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏବେ ରଥ ବ୍ରେକକୁ ପକାଯିବା ନିମନ୍ତେ ପୁଲି ବ୍ୟବସ୍ଥାର ପ୍ରଚଳନ କରାଯାଇଛି ।

Ratha Yatra 2017: Magnificent Sand Art By Sudarsan Pattnaik In Puri

ସାଧାରଣତଃ ରଥ ଟଣା ବେଳେ ନନ୍ଦିଘୋଷ ରଥ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ, ତାଳଧ୍ୱଜ ରଥ ତତ୍ୱାବଧାନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ରହିଥାଆନ୍ତି । ଯଦି ରଥଯାତ୍ରା ଦିନ ଗୁଣ୍ଡିଚା ମନ୍ଦିର ଆଗରେ ରଥ ପହଞ୍ଚିପାରେ ନାହିଁ । ତେବେ ତହିଁ ପରଦିନ ସକାଳ ୯ ଟା ରୁ ୧୦ ଟା ମଧ୍ୟରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥାଏ ।