ଭାବରେ ଭିଜାଇଦେଲେ : ଚକିତ କଲାଭଳି ବଦଳିଲା ପାଗ, ବାହୁଡ଼ିଲେ ତିନି ଠାକୁର

64

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଗତକାଲି ବଡ଼ଦାଣ୍ଡ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା। ଗତକାଲି କିନ୍ତୁ ଜନ ସମୁଦ୍ରରେ ପରିଣତ ହୋଇଗଲା ସକାଳୁ ସକାଳୁ । ରବିବାର ରେକର୍ଡ ବର୍ଷା ହୋଇଥିଲା ପୁରୀରେ। ରବିବାର କିନ୍ତୁ ଆକାଶରୁ କଳା ବାଦଲ ହଟିଯାଇଥିଲା। ଆଉ ପାଗରେ ଏଭଳି ପରିବର୍ତ୍ତନ ଆସିଥିଲା, ଯେମିତି ଗତକାଲି ଏତେ ବଡ଼ ଧରଣର ବିତ୍ପାତ ଘଟିଛି, ଏକଥା କେହି ବିଶ୍ୱାସ କରିପାରୁନଥିଲେ। ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡିବା ପୂର୍ବରୁ ପୁରୀରେ ପାଣିପାଗ ଓ ଚିତ୍ରରେ ଏଭଳି ପରିବର୍ତ୍ତନ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭାବବିହ୍ଵଳ କରିଦେଇଛି।

କେବଳ ସେତିକି ନୁହେଁ, ଭକ୍ତଙ୍କୁ ରବିବାର ଚକିତ କରିବା ଭଳି ମହାପ୍ରଭୁଙ୍କ ନୀତିକାନ୍ତି ବି ସମ୍ପନ୍ନ ହୋଇଛି। କାହିଁକି କେଜାଣି, ଶ୍ରୀମନ୍ଦିରକୁ ବାହୁଡିଯିବା ଲାଗି ମହାପ୍ରଭୁ ଏତେ ବ୍ୟଗ୍ର ହୋଇପଡିଥିଲେ ଯେ ପ୍ରଶାସନ ବାହୁଡା ଯାତ୍ରା ପାଇଁ ଯେଉଁ ସମୟ ଧାର୍ଯ କରିଥିଲେ, ତାହା ବହୁ ପଛରେ ପଡିଯାଇଥିଲା।

ଶ୍ରୀବିଗ୍ରହମାନଙ୍କ ଦିବ୍ୟ ପହଣ୍ଡି (୧୨ଟାରେ ଆରମ୍ଭ ହେବା କଥା) ଦେଖିବାକୁ ଯାଇଥିବା ଭକ୍ତ ବଡ଼ଦାଣ୍ଡରେ ପହଞ୍ଚିବା ବେଳକୁ ଠାକୁରେ ରଥ ଉପରେ ତାର ଘଣ୍ଟାଏ ପୂର୍ବରୁ ବିଦ୍ୟମାନ ଥିଲେ ଓ ରଥଟଣା ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଆଉ ଯେଉଁ ସମୟରେ (ଅପରାହ୍ନ ୪ଟା) ରଥଟଣା ଆରମ୍ଭ ହେବ ବୋଲି ସମୟ ନିର୍ଘଣ୍ଟ ହୋଇଥିଲା, ସେହି ସମୟ ପୂର୍ବରୁ ସିଂହଦ୍ୱାରରେ ପହଞ୍ଚିଯାଇଥିଲେ ବଡ଼ଠାକୁର (୩ଟା ୩୫) ଓ ଦେବୀ ସୁଭଦ୍ରା (୩ଟା୫୦) । ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ସିଂହଦ୍ୱାର ଲାଗିଥିଲା ସନ୍ଧ୍ୟା ପୂର୍ବରୁ (ଅପରାହ୍ନ ୫ଟା ୩୫)। ପୁରୁଖା ଦଇତାପତିମାନେ କହିଛନ୍ତି, ପୂର୍ବରୁ ବହୁବାର ସିଂହଦ୍ୱାରରେ ରଥଲାଗିଛି। କିନ୍ତୁ ଗତ ସାତ ଆଠ ଦଶନ୍ଧି ଭିତରେ ଏତେ ସଅଳ ନୀତି ହେବା ନଜିର ନାହିଁ। ଏଥରର ବାହୁଡା ଯାତ୍ରା ଇତିହାସ ରଚିଛି ଓ ସଅଳ ନୀତି ଶ୍ରୀମନ୍ଦିର ନୀତିକାନ୍ତିରେ ରେକର୍ଡ କରିଛି। ଏଥିସହିତ ବିନା ବର୍ଷା, ବିନା ବାଧାରେ ରବିବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଉତ୍ସାହ ଉଦ୍ଦୀପନା ଏବଂ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଛି। ମହାପ୍ରଭୁଙ୍କ ସେବାୟତଙ୍କୁ ଆଜି ସମସ୍ତେ ସାବାସି ଦେଇଛନ୍ତି।

ଖରାପ ପାଗ ଆଶଙ୍କାରେ ଗତକାଲି କିନ୍ତୁ ଭକ୍ତଙ୍କ ଯୋଗଦାନ କମିଥିଲା। ପାଖାପାଖି ତିନି ଲକ୍ଷରୁ ଅଧିକ ଭକ୍ତ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସାମିଲ ହୋଇଥିଲେ। ଆଜି ଏକାଦଶୀ ତିଥିରେ ମହାପ୍ରଭୁ ରଥରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଜି ସୁନାବେଶ ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି।

ଶନିବାର ଦିନ ରାତି ୯ଟା ବେଳକୁ ଆରମ୍ଭ ହୋଇଯାଇଥିଲା ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି। ଦଇତାପତି ସେବକ ସମ୍ମିଳିତ ଭାବେ ମହାପ୍ରଭୁଙ୍କ ସେନାପଟା ଲାଗି କାମ ଆରମ୍ଭ କରିଦେଇଥିଲେ। ଗତକାଲି ସକାଳ ୫ଟା ସୁଦ୍ଧା ଏ ପ୍ରକ୍ରିୟା ଶେଷ ହୋଇଯାଇଥିଲା। ଲୀଳାମୟ ପ୍ରଭୁ ଏମିତି ଭାବେ ସେବକଙ୍କୁ ବାନ୍ଧିଥିଲେ ଯେ ତୁରନ୍ତ ଆରମ୍ଭ ହୋଇଯାଇଥିଲା ବାହୁଡା ଯାତ୍ରା କାର୍ୟ୍ୟ। ମଧ୍ୟାହ୍ନ ୧୨ରୁ ୨ଟା୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଶେଷ ହେବ ବୋଲି ନୀତି ଧାର୍ୟ୍ୟ ହୋଇଥିଲା। ହେଲେ ତିନି ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୯ଟା୫ରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ ରଥାରୂଢ଼ ହୋଇଥିଲେ । ତା ପରେ ବଡ ଠାକୁରର ଗୁଣ୍ଡିଚା ବାଡି ଛାଡିଥିଲେ। ପଛରେ ମା ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଆସିଥିଲେ। ସେତେବେଳକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତ ଅଥୟ ହେଉଥିଲେ । ପ୍ରତୀକ୍ଷାର ଅନ୍ତ ଘଟାଇ ହୁଳହୁଳି, ଜୟ ଜଗନ୍ନାଥ ନିର୍ଘୋଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେରେ ଆସିଥିଲେ ନାକଚଣା ଦ୍ଵାରକୁ । ପୂର୍ବାହ୍ନ ୧୧ଟା୧୫ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହ ଛାଡି ଚତୁର୍ଧା ମୂର୍ତ୍ତି ରଥାରୂଢ ହୋଇଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ମଦନମୋହନ,ରାମକୃଷ୍ଣ ରଥକୁ ବିଜେ କରିଥିଲେ। ଚତୁର୍ଧାମୂର୍ତ୍ତିଙ୍କୁ ରୁନ୍ଧାଯିବା ପରେ ପୁଷ୍ପଲାଗି, ବେଶ, ଚିତା ଲାଗି ନୀତି ବଢ଼ିଥିଲା ।
ମଧ୍ୟାହ୍ନ ୧୨ଟା୨୦ରେ ଛେରା ପହଁରା ନୀତି ସଂପନ୍ନ ହୋଇ ଅପରାହ୍ନ ଗୋଟାଏ ୧୫ ସୁଦ୍ଧା ଶେଷ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ୧୨ଟା ୧୫ ବେଳକୁ ଶରଧାବାଲିରେ ପହଞ୍ଚିଥିଲେ। ଅପରାହ୍ନ ୪ଟାରେ ରଥଟଣା ହେବାକୁ ନୀତି ନିର୍ଘଣ୍ଟ ହୋଇଥିଲେ ହେଁ, ଗତକାଲି ଅପରାହ୍ନ ଗୋଟାଏ ୨୨ରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା। ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅପରାହ୍ନ ୨ଟା ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ୨ଟା୧୦ରେ ଟଣା ହୋଇଥିଲା। ଗୋଟିଏ ନିଶ୍ୱାସରେ ଯେମିତି ଆଗେଇଥିଲେ ତିନି ରଥ। ଏମିତି ଯେ ତାଳଧ୍ୱଜ ରଥ ଅପରାହ୍ନ ୩ଟା ୩୫ରେ ସିଂହଦ୍ଵାର ଚକଡାରେ ଲାଗିଥିଲା। ଏହାର ୧୫ ମିନିଟ୍ ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ୩ଟା୫୦ରେ ସିଂହଦ୍ଵାରରେ ପହଞ୍ଚିଥିଲା।

ନନ୍ଦିଘୋଷ ଶ୍ରୀନଅର ଠାରେ ପହଞ୍ଚିବା ପରେ ଗଜପତି ମହାରାଜା ଲକ୍ଷ୍ମୀ ନାରାୟଣ ନୀତି ବଢ଼ାଇଥିଲେ । ଏହା ପରେ ଶ୍ରୀନଅର ଠାରୁ ନନ୍ଦିଘୋଷ ରଥକୁ ସିଂହଦ୍ଵାର ଟଣା ଯାଇଥିଲା। ଶେଷରେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୫ଟା ୩୫ରେ ସିଂହଦ୍ଵାରଠାରେ ପହଞ୍ଚିଥିଲା। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ସହଯୋଗରେ ମହାପ୍ରଭୁଙ୍କ ବାହୁଡା ଯାତ୍ର ସୁରୁଖୁରରେ ସଂପନ୍ନ ହୋଇଛି। କୌଣସି ଅଘଟଣ ସଂପର୍କରେ ମଧ୍ୟ କିଛି ଖବର ମିଳିନାହିଁ। ଏଥିସହିତ ଚଳିତବର୍ଷର ମହାପ୍ରଭୁଙ୍କ ଯାତ୍ରା ଶୃଙ୍ଖଳାର ସହିତ ସମାପନ ଘଟିଛି। ଆଜି ରଥରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେବେ।