ମୋଦିଙ୍କ ନୂଆ ମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ: ପ୍ରତିରକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଲେ ରାଜନାଥ

54

କନକ ବ୍ୟୁରୋ: ପ୍ରତିରକ୍ଷା ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି ରାଜନାଥ ସିଂହ । ତିନିସେନା ପ୍ରମୁଖ ଏବଂ ଅନ୍ୟ କର୍ମଚାରୀଙ୍କ ସ୍ଥିତିରେ ରକ୍ଷା ମନ୍ତ୍ରାଳୟର ଭାର ଗ୍ରହଣ କରିଛନ୍ତି ରାଜନାଥ । ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ନିଜ ଦପ୍ତର ସମ୍ଭାଳିଛନ୍ତି ରାଜନାଥ । ପୂର୍ବରୁ ନିର୍ମଳା ସୀତାରମଣ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ତୁଲାଉଥିଲେ । ତେବେ ମୋଦିଙ୍କ ଦ୍ୱିତୀୟ ବାର ସରକାର ଗଠନରେ କିଛିଟା ଅଦଳବଦଳ ହୋଇଥିଲା । ନିର୍ମଳାଙ୍କ ସ୍ଥାନରେ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ରାଜନାଥଙ୍କୁ ଦିଆଯାଇଛି ।

ତେବେ ନିଜ ଦପ୍ତର ସମ୍ଭାଳିବା ପୂର୍ବରୁ ରାଜନାଥ ଦିଲ୍ଲୀ ସ୍ଥିତ ନେସନାଲ ୱାର ମେମୋରିଆଲ ଯାଇ ଦଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ସମୟରେ ରାଜନାଥ ସିଂହଙ୍କ ସହ ଆର୍ମି ଚିଫ ଜେନେରାଲ ବିପିନ ରାୱତ, ଚିଫ୍ ମାର୍ସଲ ବିଏସ ଧନୋଆ, ନାଭି ଚିଫ ଆଡମିରାଲ କରମବୀର ସିଂହ ଉପସ୍ଥିତ ରହିଥିଲେ । ନେସନାଲ ୱାରର ମେମୋରିଆଲ ବୁଲିବା ପରେ ତିନି ସେନାପ୍ରମୁଖଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ରାଜନାଥ ସିଂ ।

ଅନ୍ୟପଟେ, ଆଜି ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଚଳିତ ନିର୍ବାଚନରେ ଏନଡିଏ ୩୫୦ରୁ ଅଧିକ ସିଟ ପାଇବା ପଛରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୁମିକା । ସଂଖ୍ୟା ଗଣିତରେ ମାହିର ଅମିତ ଶାହାଙ୍କୁ ବିଜେପିର ଷ୍ଟ୍ରାଟେର୍ଜି ମେକର ବୋଲି ମଧ୍ୟ କୁହାଯାଏ ।