ସାରା ରାଜ୍ୟରେ ପୁଣି ଥରେ ହ୍ରାସ ପାଇଲା ତାପମାତ୍ରା ! ଆସନ୍ତା ୧୧ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

30

କନକ ବ୍ୟୁରୋ : ସାରା ରାଜ୍ୟର ତାପମାତ୍ରା ଆଜି ପୁଣିଥରେ ହ୍ରାସ ପାଇଛି । କେବଳ ମାଲକାନଗିରିକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ତଳେ ରହିଛି । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ କିଛିଟା ଫରକ ଦେଖିବାକୁ ମିଳିଛି। ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲେ ମଧ୍ୟ କୋହଲା ପାଗ ଜାରି ରହିଛି । ଏଭଳି ସ୍ଥିତି ଆଉ ଦୁଇ ଦିନ ଜାରି ରହିବ ।

ଅନ୍ୟପକ୍ଷରେ ଆସନ୍ତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ହାଲକା ବର୍ଷା ହୋଇପାରେ । କାଁ ଭାଁ ମଧ୍ୟମ ଧରଣର ବର୍ଷା ହେବାର ବି ଆଶଙ୍କା କରାଯାଉଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢ଼େଙ୍କାନାଳ ପରି ଜିଲ୍ଲାର ଅଳ୍ପ କେତୋଟି ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କିନ୍ତୁ ଘନ କୁହୁଡ଼ି ଲାଗି ରହିବବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୩୫.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ତାଳଚେର ଓ ସୋନପୁରରେ ୩୪ ଡିଗ୍ରି ରହିଥିଲା । ଭବାନୀପାଟଣାରେ ୩୩.୫, ଭୁବନେଶ୍ୱରରେ ୩୩.୨, ସମ୍ବଲପୁରରେ ୩୨.୯, ହୀରାକୁଦ ଓ ଝାରସୁଗୁଡ଼ାରେ ୩୨.୮, ଟିଟିଲାଗଡ଼ ଓ କଟକରେ ୩୨.୫ ଡିଗ୍ରି ରେକର୍ଡ ହୋଇଛି । ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ଉପରକୁ ଚାଲିଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।