୩ ଦିନ ପରେ ମହାଶିବରାତ୍ରି ! ଶ୍ରୀଲିଙ୍ଗରାଜ ମନ୍ଦିରରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ
କନକ ବ୍ୟୁରୋ : ଆଉ ମାତ୍ର ୩ ଦିନ ପରେ ମହାଶିବରାତ୍ରି । ଏଥିପାଇଁ ଏକାମ୍ର କ୍ଷେତ୍ର ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଲାଣି । ଏହି ଦିନ ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖିରେ ରଖି କମିସନରେଟ୍ ପୁଲିସ୍ ପକ୍ଷରୁ ଗତକାଲି ଏକ ପ୍ରସ୍ତୁତି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଆଇନ୍ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ବିଷୟ ଉପରେ ଆଲୋଚନା ହୋଇଛି । ପୁଲିସ୍ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଡିସିପି ସତ୍ୟବ୍ରତ ଭୋଇ, ଟ୍ରଷ୍ଟ ବୋର୍ଡର ସଭ୍ୟ, ବିଭିନ୍ନ ସେବାୟତ ଓ ଲୋକ ପ୍ରତିନିଧିମାନେ ଯୋଗ ଦେଇ ମତ ବିନିମୟ କରିଥିଲେ । ପୁଲିସ୍ ପ୍ରଶାସନ ପକ୍ଷରୁ ଏହି ଜାଗର ଯାତ୍ରା ଉପରେ କଡ଼ା ନଜର ରଖାଯିବ ବୋଲି କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ମନ୍ଦିରରେ ମହାଶିବରାତ୍ରିରେ ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ଶ୍ରୀଲିଙ୍ଗରାଜ ମନ୍ଦିରରେ ପଯ୍ୟର୍ଟକଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ମହାଶିବରାତ୍ରିର ଚାରିି ସିଫ୍ଟରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ଡିସିପି ସତ୍ୟବ୍ରତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୫ଜଣ ଅତିରିକ୍ତ ଏସିପି, ୧୧ଜଣ ଏସିପି, ୧୦୦ଜଣ ବରିଷ୍ଠ ଅଫିସର ଡ୍ୟୁଟି କରିବେ । ଜାଗର ରାତିରେ ଚେନ୍ ଲୁଟ୍ ଓ ମହିଳାଙ୍କୁ ଅଶ୍ଳୀଳ ଆଚରଣ ଉପରେ ନଜର ରଖିବାପାଇଁ ମନ୍ଦିରରେ ଲାଗିଥିବା ସିସି କ୍ୟାମେରା ସହ ବହୁ ସାଦା ପୋଷାକଧାରୀ ପୁରୁଷ ଓ ମହିଳା ପୁଲିସ ନଜର ରଖିବେ । ପୂର୍ବଦିନ ରାତି ୧ଟାରୁ ମନ୍ଦିର ବାହାରୁ ଓ ଭିତରେ ଭିଡ଼କୁ ନିୟନ୍ତ୍ରଣ କରାଯିବ । ସେହିପରି ବାହାରେ ଟ୍ରାଫିକ୍ ଓ ଆଇନ୍ ଶୃଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ଵ ଆରୋପ କରାଯିବ । ବିଏମ୍ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟରେ ଗାଡ଼ି ମଟ ରଖାଯିବା ପାଇଁ ସ୍ଥିର କରାଯାଇଛି ।
ମନ୍ଦିରର ସୁରକ୍ଷା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ବୈଠକରେ କେତେକ ସେବାୟତ ପ୍ରତିନିଧି ଓ ଲୋକ ପ୍ରତିନିଧିମାନେ ବିଭିନ୍ନ ମତ ରଖିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ବିଏମ୍ସି ମେୟର ଅନନ୍ତନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ଶିବ ସମର୍ଥା, ପ୍ରଶାନ୍ତ ସମର୍ଥା, ନୀଳମଣି ମିଶ୍ର, ପ୍ରଦୀପ ପୃଷ୍ଟି, ଋତୁରାଣୀ ସେନାପତି, ମମତା ସ୍ୱାଇଁ, ବହୁ ସେବାୟତ ଓ ବହୁ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ ।
ମହାଶିବରାତ୍ରି ପାଇଁ ବିଭିନ୍ନ ଆଡ଼ୁ ଶ୍ରଦ୍ଧାଳୁ ଆସୁଥିବା ବେଳେ ଟାଣ ଖରା ଯୋଗୁଁ ଲୋକେ ଅଧିିକ ସଂଖ୍ୟାରେ ପାଣି ପିଇବେ । ତେଣୁ ଏଥିପାଇଁ ବିଏମ୍ସି ପକ୍ଷରୁ ୫୦ହଜାର ଟଙ୍କାର ପାଣି ବୋତଲ ବଣ୍ଟାଯିବ ବୋଲି କୁହାଯାଇଛି । ବୈଠକରେ କର୍ପୋରଟର ଏ ନେଇ ପ୍ରସ୍ତାବ ଦେବା ପରେ ମେୟର ଶ୍ରୀ ଜେନା ଏହା ଘୋଷଣା କରିଥିଲେ । ବିଏମ୍ସି ପକ୍ଷରୁ ରାସ୍ତା ଓ ଡ୍ରେନ୍ ସଫା କରିବା ସହ ଲାଇଟ୍ ବ୍ୟବସ୍ଥା କରାଯିବ। ତେବେ ସବୁଠାରୁ ବଡ଼ ସମସ୍ୟା ଷଣ୍ଢମାନଙ୍କୁ ଦୁଇ ଦିନ ପୂର୍ବରୁ ଉଦ୍ଧାର କରି ୟୁନିଟ୍ ୩ସ୍ଥିତ କାଞ୍ଜିଆହୁଦାରେ ଛଡ଼ା ଯିବ ବୋଲି କୁହାଯାଇଛି।
ଟଙ୍କପାଣି ରୋଡ୍ସ୍ଥିତ ଶ୍ରୀ ଶ୍ରୀ ମେଘେଶ୍ୱର ଦେବ ପୀଠରେ ଜାଗର ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତଥା ପୂର୍ବତନ କର୍ପୋରେଟର୍ ଅଶୋକ ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ନିଷ୍ପତ୍ତି ଅନୁଯାୟୀ ୧୪ ତାରିଖ ଭୋର୍ ୩ଟା ୩୦ରେ ମଙ୍ଗଳ ଆଳତି ଓ ସାହାଣମେଲା କରାଯିବ । ୮ଟା ସୂର୍ଯ୍ୟ ପୂଜା ଓ ୯ଟାରେ ପ୍ରଥମ ପ୍ରହର ପୂଜା ହେବ। ରାତି ୧୦ଟା ୧୦ରେ ମହାଦୀପ ଉଠିବ । ତାହା ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଭଜନ ଓ ରଙ୍ଗିଲା ଡ୍ୟାନ୍ସ ଗ୍ରୁପ୍ର ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବ । କାର୍ଯ୍ୟକ୍ରମ ସୁୁରୁଖୁରୁରେ ପରିଚାଳନା କରିବା ପାଇଁ ସମସ୍ତ ଶ୍ରଦ୍ଧାଳୁ ସହଯୋଗ କରିବାକୁ ସଭାପତି ଶ୍ରୀ ସିଂହ ନିବେଦନ କରିଛନ୍ତି। ପ୍ରସ୍ତୁତି ବୈଠକରେ ସଂଗ୍ରାମ ନାୟକ, ନିହାର ପ୍ରହରାଜ, ଅନିଲ ଛୋଟରାୟ, ବାସୁଦେବ ଦାସ, ବିଶ୍ୱନାଥ ପ୍ରଧାନ, ଦିଲ୍ଲୀପ ସ୍ୱାଇଁ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଓ ମନୋଜ ନରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।