ନୂଆବର୍ଷକୁ ପାଣିଚିଆ କରିଦେବ ବର୍ଷା : ଆହୁରି ୨ଦିନ ଜାରି ରହିବ ଶୀତର ପ୍ରକୋପ, ଆଗାମୀ ୧ ଓ ୨ ତାରିଖରେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବର୍ଷା ଆଶଙ୍କା 

505

କନକ ବ୍ୟୁରୋ : ବର୍ଷା ପାଣିଚିଆ କରିପାରେ ନୂଆବର୍ଷ ମଜା । କାରଣ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ  ୧ ଓ ୨ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇପାରେ । ଏଥିସହ ଆଗାମୀ ୨ଦିନ ଶୀତର ପ୍ରକୋପ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ସୋନପୁପରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ସେଲସିଅସ ରହିଥିବା ବେଳେ ୧୦ଟି ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ହେଲେ ୧ ତାରିଖ ବେଳକୁ ସମୁଦ୍ରରୁ ବହୁଥିବା ବାୟୁ ଦିଗ ବଦଳାଇ ଉତ୍ତରରୁ ପ୍ରବାହିତ ହେଲେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବର୍ଷା ହେବ ।

ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଅସମ୍ଭାଳ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ସାରା ରାଜ୍ୟରେ ଆହୁରି ୨ ଦିନ ଏଭଳି ଶୀତ ଜାରି ରହିବ । ରବିବାର ଭଳି ସୋମବାର ମଧ୍ୟ ସୋନପୁରରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ସୂଚନା ଦେଇଛିି ଭୁବନେଶ୍ୱରସ୍ଥି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସମୁଦ୍ରରୁ ଏବେ ଉତର-ପୂର୍ବ ବାୟୁ ଓଡିଶା ଦେଇ ପ୍ରବାହିତ ହେଉଛି । ସ୍ଥଳ ଭାଗରେ ଆଦ୍ରତା ଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ସେହିପରି ସାରାଭାତରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ମଧ୍ୟ ପ୍ରଭାବ ରହୁଛି । ଯାହା ଥଣ୍ଡା ବଢାଇବା ସହ ବର୍ଷା ପାଇଁ ମଧ୍ୟ ବାତାବରଣ ସୃଷ୍ଟି କରୁଛି । ସୋମବାର ବାଲେଶ୍ୱର, କଟକ, ଅନୁଗୁଳ, ମୟୁରଭଞ୍ଜ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ଫୁଲବାଣୀ ଓ ସୋନପୁର ଜିଲ୍ଲାରେ ଦିନର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆଗାମୀ ୧ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବା ସହ ଉତ୍ତର ଦିଗରୁ ପବନ ବହିଲେ ବର୍ଷା ହେବା ଆଶଙ୍କା କରାଯାଉଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଆଗାମୀ ୧ ତାରିଖ ବେଳକୁ ବରଗଡ, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଦେବଗଡ ଜିଲ୍ଲାରେ ଘଡଘଡି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଉତ୍ତର ଓଡିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଓ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନନରେ ବର୍ଷା ହୋଇପାରେ ।

ଆଗକୁ ନୂଆବର୍ଷ ଥିବାରୁ ପାଣିପାଗ ବିଭାଗର ବର୍ଷା ଆଶଙ୍କା ସମସ୍ତଙ୍କ ମନରେ ଛନକା ଭରିଛି । ଅଦିନିଆ ବର୍ଷା ନୂଆବର୍ଷର ମଜାକୁ ଫିକା କରିଦେବା ଆଶଙ୍କା ରହିଛି । ସେପଟେ ଅମଳ ସମୟ ହୋଇଥିବାରୁ ଆଗାମୀ ୧ ଓ ୨ ତାରିଖରେ ବର୍ଷାର ପୂର୍ବାନୁମାନ ଚାଷୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । କ୍ଷେତରେ ଅମଳ ହେବାକୁ ଥିବା ଧାନକୁ ଘୋଡାଇ ରଖିବା ଜରୁରୀ ହୋଇପଡିଛି । ତେବେ ଦୁଇଦିନର ବର୍ଷା ପରେ ଆଗାମୀ ତିନି ତାରିଖ ବେଳକୁ ପୁଣି ଶୀତର ପ୍ରକୋପ ଫେରିବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।