ଚିଦାମ୍ବରମଙ୍କ ସମର୍ଥନରେ ପ୍ରିୟଙ୍କା ଓ ରାହୁଲ: ରାହୁଲ କହିଲେ, ସିବିଆଇକୁ ବ୍ୟବହାର କରୁଛନ୍ତି ସରକାର; ପ୍ରିୟଙ୍କା କହିଲେ, ସତ କହିବାରୁ କଲେ ଟାର୍ଗେଟ

ସେପଟେ ଇଡି ଜାରି କଲା ଲୁକ୍ ଆଉଟ୍ ନୋଟିସ

274

କନକ ବ୍ୟୁରୋ: ପି ଚିଦାମ୍ବରମଙ୍କ ସମର୍ଥନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ପରେ ବାହାରିଲେ ରାହୁଲ ଗାନ୍ଧୀ । ଇଡି ଓ ସିବିଆଇକୁ ମୋଦି ସରକାର ବ୍ୟବହାର କରୁଛନ୍ତି । ଏହାକୁ ଦୃଢ ଭାବରେ ସେ ବିରୋଧ କରୁଥିବା ରାହୁଲ ଟୁଇଟ କରିଛନ୍ତି । ସେପଟେ ପ୍ରିୟଙ୍କା କହିଛନ୍ତି ଚିଦାମ୍ବରମ ସତ କହିଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି । ପରିଣାମ ଯାହା ହେଲେ ବି ସେ ଚିଦାମ୍ବରମଙ୍କ ସହ ଛିଡା ହୋଇଛନ୍ତି ଓ ସତ୍ୟ ପାଇଁ ଲଢ଼େଇ ଜାରି ରହିବ ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।

ପ୍ରିୟଙ୍କା ଟୁଇଟ୍ କରି ଲେଖିଛନ୍ତି, ରାଜ୍ୟସଭାର ଅତ୍ୟନ୍ତ ଯୋଗ୍ୟ ଓ ସମ୍ମାନିତ ସଦସ୍ୟ ପି. ଚିଦାମ୍ବରମ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ ଦଶନ୍ଦି ଧରି ନିଷ୍ଠାର ସହ ଆମ ଦେଶର ସେବା କରିଛନ୍ତି । ସେ ସରକାରଙ୍କ ବିଫଳତାକୁ ସାମନାକୁ ଆଣୁଛନ୍ତି, କିନ୍ତୁ ଭୀରୁଙ୍କୁ ସତ ପସନ୍ଦ ନୁହେଁ, ସେଥିପାଇଁ ଚିଦାମ୍ବରଙ୍କୁ ଲଜ୍ଜାଜନକ ଭାବେ ଟାର୍ଗେଟ କରାଯାଉଛି । ତେଣୁ ତାଙ୍କ ସହ ଦଳ ରହିଛି ଓ ପରିଣାମ ଯାହା ହେଲେ ବି ଆଗକୁ ମଧ୍ୟ ରହିବ । ଚିଦାମ୍ବରମଙ୍କୁ ପ୍ରିୟଙ୍କା ସମର୍ଥନ କରି ଟୁଇଟ୍ କରିବା ପରେ ସମାଲୋଚନା କରିଛି ବିଜେପି ।

ସେପଟେ, ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ ପି ଚିଦାମ୍ବରମଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଇଟ୍ ନୋଟିସ୍ । ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଚିଦାମ୍ବରମଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଏହି ନୋଟିସ ଜାରି ହେବା ପରେ ଚିଦାମ୍ବରମ ଦେଶ ବାହାରକୁ ଯାଇପାରିବେ ନାହିଁ । ଏପରିକି ଏହି ନୋଟିସ୍ ବଳରେ ପଳାୟନ କରିଥିବା ଅଭିଯୁକ୍ତଙ୍କୁ ଖୋଜିବା ସହ ଗିରଫ ମଧ୍ୟ କରାଯାଇପାରିବ । ଚିଦାମ୍ବରମଙ୍କ ବିରୋଧରେ ଆଇଏନଏକ୍ସ ମିଡ଼ିଆକୁ ଫରେନ ଇନଭେଷ୍ଟମେଂଟ ପ୍ରୋମୋସନ ବୋର୍ଡ଼ରେ ଅବୈଧ ରୂପେ ସ୍ୱୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଂଚ ନେଇଥିବା ଅଭିଯୋଗ ରହିଛି ।