ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ଜଣେ ମହିଳା ଦେଲେ ଉପହାର, ଘର ନଥିବା ଜାଣିବା ପରେ ରାହୁଲଙ୍କ ନାମରେ ଲେଖିଦେଲେ ୪ମହଲା କୋଠା

20,107

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ବି ଖାଲି କରିବାକୁ ପଡିଲା । ଏହାପରେ କଂଗ୍ରେସ ନେତାଙ୍କ ତରଫରୁ ‘ମେରା ଘର, ରାହୁଲ ଗାନ୍ଧୀ କା ଘର’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଏହାରି ମଧ୍ୟରେ ଦିଲ୍ଲୀରେ ରହୁଥିବା ବାଲିର ରାଜକୁମାରୀ ଗୁପ୍ତା ନିଜର ଏକ ୪ମହଲା କୋଠାକୁ ରାହୁଲ ଗାନ୍ଧୀଙ୍କ ନାମରେ ଲେଖିଦେଇଛନ୍ତି ।

ସୂଚନା ଥାଉକି, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ଦିଲ୍ଲୀ ତୋଗଲକ ଲେନରେ ମିଳିଥିବା ସରକାରୀ ଭବନକୁ ଛାଡିବାକୁ ନୋଟିସ ଜାରି କରାଯାଇଛି । ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ଘର ଛାଡିବାକୁ ତାଙ୍କୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ରାହୁଲ ଗାନ୍ଧୀ କେଉଁଠି ରହିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଦଳର ଅନେକ ନେତା ଓ ମନ୍ତ୍ରୀ ରାହୁଲଙ୍କୁ ଘର ଯୋଗାଇ ଦେବାକୁ ଆଗେଇ ଆସିଥିଲେ । ହେଲେ ରାଜକୁମାରୀ ଗୁପ୍ତା ସିଧା ସଳଖ ରାହୁଲ ଗାନ୍ଧୀଙ୍କ ନାମରେ ଏକ ୪ମହଲା କୋଠା ଲେଖିଦେବା ପରେ ଏବେ ପ୍ରଶ୍ନ ଉଠୁଛି ରାହୁଲ ଗାନ୍ଧୀ କଣ ବାସ୍ତବରେ ରାଜକୁମାରୀ ଗୁପ୍ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କୋଠାରେ ରହିବେ ନା ପୂର୍ବ ଯୋଜନା ମୁତାବକ ସୋନିଆ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ରହିବେ ।

କହିରଖୁ କି ୨୦୧୯ର ଏକ ବିବାଦୀୟ ବୟାନ ପାଇଁ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହି ଆଧାରରେ ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା ।