ଏ ସରକାର ଡୁପ୍ଲିକେଟ ସରକାର, ସ୍ୱେଚ୍ଛାଚାରିତା ଭାବେ କରିଦେଲେ ବିଧାନସଭା ବନ୍ଦ : ଜୟନାରାୟଣ ମିଶ୍ର

166

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର । ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବା ସହ ବଜେଟକୁ ଅନୁମୋଦନ ମିଳିବା ପରେ ୪ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଛି । ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି. ବିନା ଆଲୋଚନା ପରାମର୍ଶରେ ସ୍ୱେଚ୍ଛାଚାରିତା ଭାବେ ବିଧାନସଭା ବନ୍ଦ କରିଦେଲେ ସରକାର ।

ଜୟନାରାୟଣ କହିଛନ୍ତି, ଏଥରକ ଅନେକ ଗୁଡିଏ ବିଲ୍ ଥିଲା । ଚଳିତ ବିଧାନସଭାରେ କିଛି ବିଲ୍ ଆଗତ ମଧ୍ୟ ହୋଇଥିଲା । କିନ୍ତୁ ଏହି ବିଲ ଭିତରୁ କିଛି ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି ସରକାର । ଯୁଦ୍ଧଭୂମି ଛାଡି ପଳାୟନ କଲେ ସରକାର । ଏବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ । କ୍ୟାବିନେଟ ମନ୍ତ୍ରୀଙ୍କୁ ସରକାରୀ ପୋଲିସ ଦିନ ଦ୍ୱିପ୍ରହରରେ ହତ୍ୟା କରାଗଲା । ୨ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟା ପଛରେ କିଏ ଅଛି ତାହା ଏଯାଏଁ ଜଣାପଡିଲାନି । ଏହି ସରକାର ଡୁପ୍ଲିକେଟ ସରକାର । ସାର୍ଟିଫିକେଟ ଠାରୁ ଆରମ୍ଭ କରି ସବୁକିଛି ଏଠି ଡୁପ୍ଲିକେଟ । ୫-ଟି ଡୁପ୍ଲିକେଟ ଡିପାର୍ଟମେଣ୍ଟ । ଆମେ ଯାହା ପ୍ରଶ୍ନ କରିଥିଲୁ ତାହାର ଉତ୍ତର ମିଳିପାରିନାହିଁ ।

କେବଳ ଏତିକି ନୁହେଁ ୫-ଟି ସ୍କୁଲରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ନାହିଁ ନାହିଁରେ ଏ ସରକାର ଚାଲିଛି । ସରକାର କହୁଛନ୍ତି ଆଇନ ତା ବାଟରେ ଯିବ କିନ୍ତୁ ଆଇନ କଣ ତାହା ବାଟରେ ଯାଉଛି । ଏକଥା ଓଡ଼ିଶାବାସୀ ବିଚାର କରିବେ । ସରକାରଙ୍କ ମହାନଦୀ ପାଇଁ କାନ୍ଦଣା ଡ୍ରାମା ଧରାପଡ଼ିଗଲା । ମହାନଦୀ ଉପରେ ମୋଶନ ଆଣିବା ପାଇଁ ଚାହିଁଥିଲୁ, କିନ୍ତୁ ତାହା ହେଲା ନାହିଁ । ବିଧାୟକ ନିଜକୁ କ୍ରୀତଦାସ ବୋଲି କହିଲେ । ଜଣେ ବିଧାୟକ କଣ କିଣା ଚାକର ହୋଇପାରିବ । ଜଣେ ବ୍ୟୁରୋକ୍ରାଟର କିଣା ଚାକର ସେ କେମିତି ହେଇଗଲେ? ଏଭଳି ବୟାନ ସବୁ ବିଧାୟକଙ୍କ ପ୍ରତି ଅପମାନ ଥିଲା ।  ଗୃହରକ୍ଷୀ, ଡ୍ରାଇଭର, କୋଇଡା ବିଡ଼ିଓଙ୍କ କଥା ଉଠାଇଥିଲୁ । ଜଣେ ଜଣେ ପଦାଧିକାରୀ ଗୋଟିଏ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ହେବ ରହୁଛନ୍ତି । ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଅବସର ବିନୋଦନ କେନ୍ଦ୍ର ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏ ପ୍ରସଙ୍ଗରେ ବିରୋଧୀ ପ୍ରଶ୍ନ କରିଥିଲେ ମଧ୍ୟ ସରକାର ଉତ୍ତର ନଦେଇ ପଳାୟନ କଲେ । ବିଧାନସଭାରେ ସିନା ଆଲୋଚନା ହେଲାନି କିନ୍ତୁ ଏହି ପ୍ରସଙ୍ଗକୁ ଆମେ ଜନତାଙ୍କ ସଭାକୁ ନେଇଯିବୁ । ଜନତା ଅଦାଲତରେ ଏସବୁ ଆଲୋଚନା ହେବ ।