ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଓ ଜନସଭା । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ୍ । ସେପଟେ ଛତିଶଗଡରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ।

80

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ବାଜିଲାଣି ନିର୍ବାଚନୀ ବିଗୁଲ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜଧାନୀ ଭୋପାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେପଟେ ଛତିଶଗଡରେ ରାହୁଲ ଗାନ୍ଧୀ ବିଶାଳ ରାଲି କରିଛନ୍ତି ।

  • ବିଜେପିର ମିଶନ୍ ମଧ୍ୟପ୍ରଦେଶ
  • ଭୋପାଳରେ ମୋଦୀଙ୍କ ବିଶାଳ ରାଲି
  • ଅଭିଭାଷଣରେ କଂଗ୍ରେସକୁ କଲେ ଟାର୍ଗେଟ୍

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ, ଭୋପାଳରେ ବିଶାଳ ଜନସଭା କରିଛନ୍ତି । ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀ ଅବସରରେ ଆୟୋଜିତ ‘କର୍ମୀ ମହାକୁମ୍ଭ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ସମୟରେ ମଧ୍ୟପ୍ରଦେଶର ଶାସନ ଭାର କଂଗ୍ରେସ ହାତରେ ଥିଲା ସେହି ସମୟରେ ରାଜ୍ୟ ଅଧୋଗତି ଆଡକୁ ଯାଇଥିଲା । କଂଗ୍ରେସ ଶାସନ ନାଁରେ ମଧ୍ୟପ୍ରଦେଶକୁ ଲୁଟ କରିଛି । କଂଗ୍ରେସ ଯଦି ପୁଣି ଥରେ ଶାସନକୁ ଆସିଲେ ତେବେ ରାଜ୍ୟ ବିନାଶ ଆଡକୁ ନିଶ୍ଚୟ ଯିବ । ଆଜି ରାଜ୍ୟର ବିକାଶ ହୋଇଛି ତାହାର ଶ୍ରେୟ ବିଜେପିକୁ ମିଳିବା ଉଚିତ ।

  • କଂଗ୍ରେସର ଫୋକସରେ ଛତିଶଗଡ଼
  • ବିଳାସପୁରରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ
  • ମୋଦୀଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ

ସୋମବାର ରାୟପୁରରେ ପହଞ୍ଚି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଶାଳ ଜନସଭା କରିଛନ୍ତି । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଭିତରେ କଂଗ୍ରେସର ଫୋକସରେ ରହିଛି ଛତିଶଗଡ । ବିଳାସପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଆଉ ନିଜ ଅଭିଭାଷଣରେ ରାହୁଲ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜାତିଗତ ଜନଗଣନାକୁ କାହିଁକି ଡରୁଛନ୍ତି?

ଜାତିଗତ ଜନଗଣନା ଦେଶ ପାଇଁ ବେଶ ଜରୁରୀ ବୋଲି କହିଛନ୍ତି ରାହୁଲ । ରାହୁଲ ଗାନ୍ଧୀ ବିଲାସପୁରରେ ‘ଗ୍ରାମୀଣ ଆବାସ ନ୍ୟାୟ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ୪୭ହଜାର ଗରିବ ପରିବାରକୁ ପ୍ରଥମ କିସ୍ତିରେ ୧୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାର ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ଏହାସହ ଛତିଶଗଡରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ ।

ଆଗକୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭୋଟରକୁ ପ୍ରଭାବିତ କରିବା ପାଇଁ ଲାଗି ପଡିଛି ଉଭୟ ବିଜେପି ଓ କଂଗ୍ରେସ । ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିବାବେଳେ, ଛତିଶଗଡରେ ଜନସଭା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।