ବାୟୁସେନାର ସାମିଲ ହେଲା ସି-୨୯୫ ପରିବହନ ବିମାନ । ବିଦ୍ଧିବଦ୍ଧ ଭାବେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

79

କନକ ବ୍ୟୁରୋ: ଗାଜିଆବାଦ ସ୍ଥିତ ହିଣ୍ଡେନ୍ ଏୟାରବେସରେ ଭାରତର ଡ୍ରୋନ୍ ଶକ୍ତି ପ୍ରଦର୍ଶିତ ହୋଇଛି । ଦେଶର ସବୁ କମ୍ପାନୀ ନିଜ ନିଜର ହାଇଟେକ୍ ଡ୍ରୋନ୍ ଗୁଡିକ ପ୍ରଦର୍ଶିତ କରିଛି । ଏହାସହ ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ବାୟୁସେନାରେ ସାମିଲ ହୋଇଛି ସି-୨୯୫ ।

  • ବଢ଼ିଲା ବାୟୁସେନାର ଶକ୍ତି
  • ବାୟୁସେନାରେ ସାମିଲ ହେଲା ସି-୨୯୫

ଆତ୍ମନିର୍ଭର ଭାରତର ନୂଆ ପରିଚୟ ପାଲଟିବ ବାୟୁସେନା ବିମାନ ସି-୨୯୫ । କାରଣ ଭାରତୀୟ ବାୟୁସେନାରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛି ସି-୨୯୫ ପ୍ରଥମ ପରିବହନ ବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗାଜିଆବାଦର ହିଣ୍ଡେନ ଏୟାରବେସରେ ଆୟୋଜିତ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି । ଏହି ବିମାନ ସ୍ପେନ୍ ଠାରୁ ୬ ହଜାର ୮୫୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ୨୦ ସେପ୍ଟେମ୍ବରରେ ଭଦୋଦରାରେ ପହଞ୍ଚିଥିଲା । ସୋମବାର ଏହା ହିଣ୍ଡେନ ଏୟାରବେସରେ ପହଞ୍ଚିିଲା ପରେ ଏହାକୁ ବାୟୁସେନାରେ ସାମିଲ କରାଯାଇଛି ।

ସ୍ପେନର ଏୟାରବସ୍ କମ୍ପାନୀରୁ ଭାରତ ଏହି ବିମାନ କ୍ରୟ କରିଛି । ଦେଶର ପ୍ରଥମ ଟେକ୍ନିକାଲ ମିଲିଟାରୀ ଟ୍ରାନ୍ସପୋର୍ଟ ପ୍ଲେନକୁ ଏୟାରବେସ କମ୍ପାନୀରୁ ଅଣାଯାଇଛି । ଏହି ବିମାନକୁ ଉଡାଇବା ପାଇଁ ବାୟୁସେନାର ପ୍ରଥମ ବ୍ୟାଚ୍ ବିଦ୍ଧିବଦ୍ଧ ତାଲିମ୍ ନେଇଛନ୍ତି । ସ୍ପେନରୁ ୧୬ଟି ବିମାନ ଅଣାଯାଉଥିବାବେଳେ, ଏହାପରେ ଭାରତରେ ହିଁ ସି-୨୯୫ ବିମାନ ପ୍ରସ୍ତୁତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ବିମାନ ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଦ୍ୱିଗୁଣିତ ହୋଇ ଯାଇଛି ।

ସି-୨୯୫ ବିମାନର ବିଶେଷତ୍ତ୍ୱ

  • ବିମାନଟି ୧ କିଲୋମିଟରରୁ କମ୍ ରନୱେରୁ ଉଡ଼ିପାରିବ
  • ଅବତରଣ ପାଇଁ ଏହା କେବଳ ୪୨୦ ମିଟର ରନୱେ ଆବଶ୍ୟକ କରେ
  • ଏହାର ଅର୍ଥ ବାୟୁସେନା ପାହାଡିଆ ଅଞ୍ଚଳ ଏବଂ ଦ୍ୱୀପପୁଞ୍ଜରେ ମଧ୍ୟ ସିଧାସଳଖ ଯବାନଙ୍କୁ ଅବତରଣ କରିବାକୁ ସକ୍ଷମ ହେବ
  • ସି-୨୯୫ ବିମାନ ଆତ୍ମନିର୍ଭରଶୀଳ ଭାରତର ପରିଚୟ
  • ସି-୨୯୫ ଏୟାରବସ୍ କମ୍ପାନୀ ଦ୍ୱାରା ନିର୍ମିତ
  • ଏୟାରବସ୍ ସ୍ପେସ୍ ଏବଂ ଡିଫେନ୍ସ କମ୍ପାନୀ ସହିତ ୨୧,୯୩୫ କୋଟି ଟଙ୍କାରେ ୫୬ ସି -୨୯୫ ବିମାନ କିଣିବା ପାଇଁ ଚୁକ୍ତି କରିଛି ଭାରତ
  • ୧୭ ତମ ବିମାନ ଭାରତରେ ଉତ୍ପାଦିତ ହେବ
  • ଟାଟା କମ୍ପାନୀ ଓ ଏୟାରବସ ମଧ୍ୟରେ ଏଥିପାଇଁ ଚୁକ୍ତି ହୋଇଛି
  • ୪୦ଟି ବିମାନ ଦୁଇ କମ୍ପାନୀ ତିଆରି କରିବେ
  • ମୋଟ୍ ୫୬ଟି ବିମାନ ୨୦୨୬ ସୁଦ୍ଧା ତିଆରି ହେବ

ସୋମବାର ହିଣ୍ଡେନ୍ ଏୟାରବେସରେ ଆୟୋଜିତ କାର୍ଯ୍ୟକ୍ରମରେ କେବଳ ସି-୨୯୫ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି ତାହା ନୁହେଁ । ଭାରତୀୟ ଡ୍ରୋନ୍ ଶକ୍ତି ମଧ୍ୟ ପ୍ରଦର୍ଶିତ ହୋଇଛି । ଦେଶର ବିଭିନ୍ନ କମ୍ପାନୀ ନିଜର ଅତ୍ୟାଧୁନିକ ଡ୍ରୋନଗୁଡିକର ଶକ୍ତି ପ୍ରଦର୍ଶିତ କରିଛନ୍ତି । ଯାହା ଆଗାମୀ ଦିନରେ ଦେଶ ସୁରକ୍ଷା ପାଇଁ ନିୟୋଜିତ ହୋଇପାରେ ।