ଅବଢ଼ା ପେଜରୁ ମିଳିବ ବିଶୁଦ୍ଧ ଜଳ: ପେଜ ବିଶୋଧନ ପାଇଁ ବସିବ ଟ୍ରିଟମେଣ୍ଟ ପ୍ଲାଣ୍ଟ

375

କନକ ବ୍ୟୁରୋ: ଶ୍ରୀମନ୍ଦିର ରୋଷଶାଳାରୁ ବାହାରୁୁଥିବା ଏହି ଅବଢ଼ା ପେଜ, କାହା ପାଇଁ ଆଉ ସମସ୍ୟା ସୃଷ୍ଟି କରିବ ନାହିଁ । ନା’ ପରିବେଶ ଉପରେ ଏହି ପେଜର କୁପ୍ରଭାବ ପଡ଼ିବ ନା’ କୁଣ୍ଡରେ ପଡ଼ି ରହିବା ଯୋଗୁଁ ଆଉ କିଛି ସମସ୍ୟା ହେବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ନିର୍ମାଣ ହେବ ଟ୍ରିଟମେଂଟ୍ ପ୍ଲାଂଟ୍ । ଏହି ପ୍ରକଳ୍ପ ପାଇଁ ଅଢ଼େଇ କୋଟି ଖର୍ଚ୍ଚ ହେବ । ଶ୍ରୀମନ୍ଦିର ରୋଷଶାଳାରୁ ଆସୁଥିବା ପେଜ ଭୂତଳ ରାସ୍ତା ଦେଇ ପ୍ଲାଂଟକୁ ଆସିବ । ବିଭିନ୍ନ ପ୍ରକ୍ରିୟାରେ ପେଜର ବିଶୋଧନ କରାଯିବ । ଏଥିରୁ ଜଳୀୟ ଅଂଶକୁ ଅଲଗା କରି ସ୍ୱଚ୍ଛ ଜଳ ବାହାର କରାଯିବ । ଅବଶିଷ୍ଟ କଠିନ ପଦାର୍ଥକୁ ବଳକା ରହିଯିବ । ଦକ୍ଷିଣ ପାଶ୍ୱର୍ ମଠ ପଛପାଶ୍ୱର୍ରେ ଏହି ପ୍ଲାଂଟ୍ ପ୍ରତିଷ୍ଠା ହେବ । ଏହି ଦକ୍ଷିଣ ଦ୍ୱାର ନିକଟରେ ଥିବା ପେଜନାଳରୁ ପେଜ ବାହାରି ସେଠାରେ କୁଣ୍ଡରେ ରହୁଥିଲା । ଏଠିକୁ ବୁଲା ଗାଈଗୋରୁ ଖାଉଥିଲେ । ଫଳରେ ପରିବେଶ ପ୍ରଦୂଷିତ ହେବା ସହ ଏହାର କୁପ୍ରଭାବ ପଡ଼ୁଥିଲା ।

ରୋଷଶାଳରୁ ନିର୍ମତ ହେଉଥିବା ପେଜକୁ ନେଇ କୋଲକତାର ଜଣେ ବ୍ୟକ୍ତି କିଛି ବର୍ଷ ଦଳେ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନଜିଟିର ନିର୍ଦ୍ଦେଶକ୍ରମେ, ଶ୍ରୀମନ୍ଦିରରୁ ବାହାରୁଥିବା ପେଜ ବିିଶୋଧନ କରିବାର ପ୍ରୟାସ ଆରମ୍ଭ ହୋଇଛି ।

ପରିକ୍ରମା ପ୍ରକଳ୍ପ ଜରିଆରେ, ଶ୍ରୀମନ୍ଦିରର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକାଧିକ କାର୍ଯ୍ୟ ହାତକୁ ନିଆଯାଇଛି । ଏହିକ୍ରମରେ ପେଜର ବିଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨ରୁ ୩ ମାସ ମଧ୍ୟରେ ଏହି ପ୍ଲାଂଟ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଓବିସିସି ପୁରୀ ଡିଭିଜନ-୩ ।