ୟୁକ୍ରେନ ମୁଥରେ ରୁଷ୍ ଘାଇଲା, ଅନ୍ତର୍ଜାତୀୟ ମଂଚରେ ମୁହାଁମୁହିଁ ହେଲେ ରୁଷ-ୟୁକ୍ରେନ

212

କନକ ବ୍ୟୁରୋ : ଯୁଦ୍ଧଭୂମିର ଯୁଦ୍ଧ ଏବେ ଅନ୍ତର୍ଜାତୀୟ ମଂଚରେ ପହଂଚିଛି । ୟୁକ୍ରେନ ମୁଥରେ ରୁଷ୍ ଘାଇଲା । ତୁର୍କୀରେ ଚାଲିଥିଲା ଶିଖର ସମ୍ମଳନୀରେ ମୁହାଁମୁହିଁ ହୋଇଛନ୍ତି ୟୁକ୍ରେନ ସାଂସଦ ଓ ରୁଷ ଅଧିକାରୀ । ଏହି ଭିଡିଓ ଉପରେ ନଜର ପକାନ୍ତୁ । ତୁର୍କୀ ରାଜଧାନୀ ଅଙ୍କାରାରେ ଚାଲିଥିବା ‘ବ୍ଲାକ ସି ଇକୋନମିକ କୋଅପରେସନ’ ସମ୍ମିଳନୀ ବୈଠକ ବେଳେ ଫଟୋ ସେସନ ଚାଲିଥିଲା । ଏହି ସମୟରେ ୟୁକ୍ରେନ ସାଂସଦ ଓଲେକଜାନ୍ଦର ମାରିକୋଭସ୍କି ପତାକା ଧରି ଛିଡ଼ା ହୋଇଥିଲେ । ଠିକ୍ ଏତିକି ବେଳେ ରୁଷିଆ ଦୂତାବାସ ଅଧିକାରୀ ଆସି ୟୁକ୍ରେନ ସାଂସଦଙ୍କ ହାତରୁ ପତାକା ଛଡ଼ାଇ ନେଇଥିଲେ । ଯାହାକୁ ନେଇ କ୍ଷୁବ୍ଧ ହୋଇଯାଇଥିଲେ ୟୁକ୍ରେନ ସାଂସଦ । ଏବଂ ରାଗିଯାଇ ରୁଷ ଅଧିକାରୀଙ୍କୁ ମୁଥ ମାରିଥିଲେ । ୟୁକ୍ରେନ ସାଂସଦ ଓ ରୁଷ ଅଧିକାରୀ ବେଶ କିଛି ସମୟ ଧରି ମୁହାଁମୁହିଁ ହୋଇଥିଲେ । ରୁଷିଆ ଅଧିକାରୀଙ୍କୁ ଉପରେ ରାଗିଯାଇ ପଛରେ ଗୋଡାଇ ପିଟିଥିଲେ ୟୁକ୍ରେନ ସାଂସଦ । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା । ସମଗ୍ର ଘଟଣାର ପୂରା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ରୁଷ୍ ସେନା ଏବେବି କିଭ୍ ଠାରୁ ବହୁ ଦୂରରେ । ୟୁକ୍ରେନ ରାଜଧାନୀ କିଭ୍ ଅଧିକାର କରିବା ପାଇଁ ପୁଟିନ୍ ସେନା ପୂର୍ବରୁ ଏକାଧିକ ଥର ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନାହିଁ । କାରଣ ସବୁ ଥର ୟୁକ୍ରେନ ସେନା କଡ଼ା ମୁକାବିଲା କରିଛି । ଅନ୍ୟପଟେ ୟୁକ୍ରେନ ଏବେ ଯୁଦ୍ଧକୁ ରୁଷ୍ ଅଂଚଳକୁ ନେବାକୁ ନୂଆ ରଣନୀତି ପ୍ରସ୍ତୁତ କରିନେଇଛି । ରୁଷ୍ ଭିତରେ ୟୁକ୍ରେନ ପକ୍ଷରୁ ମଝିରେ ମଝିରେ ଆକ୍ରମଣ ନେଇ ମଧ୍ୟ କ୍ରେମଲିନ୍ ପକ୍ଷରୁ ଅଭିଯୋଗ ହେଉଛି । ନିକଟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମାରିବାକୁ ଡ୍ରୋନ୍ ଆକ୍ରମଣ ହୋଇଥିଲା, ଆଉ ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ରୁଷ୍ ଅଭିଯୋଗ କରୁଛି । ଅବଶ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ ।

ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାରଖାର ହୋଇଗଲାଣି । ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ବେସାହାରା ହୋଇପଡ଼ିଛି । ୟୁକ୍ରେନର ଆର୍ଥିକ ସ୍ଥିତି ଖରାପ ହୋଇପଡ଼ିଛି । ତେବେ ଆମେରିକା ଓ ୟୁକ୍ରେନ ରାଷ୍ଟ୍ରଙ୍କ ସହାୟତାରେ ୟୁକ୍ରେନ ଏବେବି ଯୁଦ୍ଧ ଲଢ଼ୁଛି । ଏପଟେ ପୁଟିନ୍ ମଧ୍ୟ ମନୋଭାବ ନରମ କରିବାକୁ ରାଜି ନାହାନ୍ତି ।