ପଞ୍ଜାବରେ କଟକଣା କଡାକଡି । ସ୍କୁଲ କଲେଜ ବନ୍ଦ, ସିନେମା ହଲ ଓ ରେଷ୍ଟୁରାଣ୍ଟ ଉପରେ ବି କଟକଣା

148

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ କୋଭଡି କଟକଣାକୁ ଆହୁରି କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାରଙ୍କ ତରଫୁରୁ ଜାରି ହୋଇଥିବା ଆଦେଶ ମୁତାବକ ରାଜ୍ୟରେ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ରହିବ । ଏହାସହ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପଞ୍ଜାବରେ ଏବେ ବସ୍, ସିନେମା ହଲ, ଜିମ୍, ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବ ।
ପଞ୍ଜାବ ସରକାର ତରଫରୁ ବଢୁଥିବା କରୋନା ସଂକ୍ରମଣକୁ ନେଇ ମଙ୍ଗଳବାର ଏକ ଅଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ଏସବୁ କଟକଣା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି ରାଜ୍ୟରେ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଜାରି ରହିବ । ଏହା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓ ଏହାପରେ ପରିସ୍ଥିତି ଦେଖି ନିର୍ଣ୍ଣୟ ନିଆଯିବ ।
ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ତୁରନ୍ତ ପ୍ରଭାବରେ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସିନେମା ହଲ, ରେଷ୍ଟୁରାଣ୍ଟ ଓ ବସଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚଳାଇପାରିବେ ବୋଲି କୁହାଯାଇଛି ।