ଡିସିପି ଅଫିସରେ ପଶିଲା କରୋନା । ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ବନ୍ଦ କଲା ବିଏମସି

117

କନକ ବ୍ୟୁରୋ : ଭୁବନେଶ୍ୱର ବାଣିବିହାର ସ୍ଥିତ ଡ଼ିସିପି ଅଫିସକୁ ସିଲ କଲା ବିଏମସି । ଡ଼ିସିପି ଅଫିସର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଡ଼ିସିପି ଅଫିସ ସିଲ କରାଯାଇଛି । ଡ଼ିସିପି ଅଫିସରୁ ଏକାଧିକ କର୍ମଚାରୀ ସଂକ୍ରମିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସଂକ୍ରମଣ ରୋକିବାକୁ ସେହି ଅଂଚଳକୁ ସାନିଟାଇଜ କରାଯିବା ସହ ସେହି ଅଂଚଳକୁ ନଯିବା ପାଇଁ ବାରଣ କରାଯାଇଛି । ୨ ଦିନ ପାଇଁ ଡ଼ିସିପି ଅଫିସକୁ ସିଲ କରିଛି ବିଏମସି ।

ସେପଟେ, ରାଜ୍ୟରେ ଉପରମୁହାଁ କରୋନା ମିଟର । ୨୪ ଘଂଟା ଭିତରେ ୬୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ଭିତରେ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୯୭ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୮୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୨୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୯, ସମ୍ବଲପୁରରୁ ୪୨, ସୁନ୍ଦରଗଡ଼ରୁ ୬୯, ଝାରସୁଗୁଡ଼ାରୁ ୨୫, ନବରଙ୍ଗପୁରରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ରାଜ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୨ହଜାର ୮୮୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।