ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ମୁହଁ ଖୋଲିଲେ ସିଦ୍ଧୁ । କହିଲେ, ହାଇକମାଣ୍ଡଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି । ପରିବର୍ତ୍ତନ ପାଇଁ ଜରୁରୀ ନୁହେଁ ସିଟ୍ ।

105

କନକ ବ୍ୟୁରୋ: ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଅଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେବେ ଏଭଳି ସମୟରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଉ ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧୁ ।

ସିଦ୍ଧୁଙ୍କୁ କହିବା ଅନୁସାରେ, ସିଏମ୍ ପଦକୁ ନେଇ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ହିଁ ଶେଷ ନିଷ୍ପତ୍ତି । ସେ ଏହାକୁ ସ୍ୱୀକାର କରିବେ ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିବେ । ତେବେ ଚରଣଜିତ ସିଂହଙ୍କ ଭଳି ଦଳିତ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇପାରେ ବୋଲି ପ୍ରଶ୍ନରେ ସେ କହିଛନ୍ତି, ପଞ୍ଜାବ ଜାତିରୁ ନୁହେଁ ବରଂ ମୁଦ୍ଧାରେ ପରିବର୍ତ୍ତନ ହେବ । ପାର୍ଟି ଯାହା ନିଷ୍ପତ୍ତି ନେବେ, ତାକୁ ସମସ୍ତେ ଗ୍ରହଣ କରିବେ ବୋଲି ସିଦ୍ଧୁ କହିଛନ୍ତି ।

ଅନ୍ୟପଟେ ପ୍ରକାଶ ସିଂହ ବାଦଲଙ୍କୁ ଧ୍ରୁତରାଷ୍ଟ୍ର ବୋଲି କହି ସେ କହିଛନ୍ତି, ତାଙ୍କୁ କେବଳ ସୁଖବୀରଙ୍କ ଛଡା ଆଉ କେହି ଦେଖାଯାଉନାହାଁନ୍ତି । ଗତ ବହୁବର୍ଷ ଧରି କ୍ୟାପଟେନ୍ ଅମରିନ୍ଦର ସିଂହ ଓ ବାଦଲ ପରସ୍ପରକୁ ସୁରକ୍ଷା ଦେଇ ଆସୁଛନ୍ତି । ଏ ସବୁକୁ ଭାଙ୍ଗି ଏବେ ନୂଆ ସିଷ୍ଟମ ଆଣିବା ସହିତ ରାଜ୍ୟକୁ ଏକ ଜନମଙ୍ଗଳ ରାଜ୍ୟରେ ବଦଳାଇବା ଆମର ଲକ୍ଷ୍ୟ ବୋଲି ସିଦ୍ଧୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପଞ୍ଜାବରେ ବିଧାନସଭା ନିର୍ବାଚନ ତାରିଖ ପାଖେଇବା ସହିତ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ବିଶେଷକରି କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଛିଡା ହେଇଛି । ଗୋଟିଏ ପଟେ ନବଜୋତ୍ ସିଂହ ସିଦ୍ଧୁଙ୍କ ଗୋଷ୍ଠୀ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରୁଥିବାବେଳେ, ଅନ୍ୟପଟେ ଚରଣଜିତ ସିଂହ ଚନ୍ନୀ ମଧ୍ୟ ରେସରେ ଅଛନ୍ତି । ଏହାରି ଭିତରେ ଦଳ କାହାକୁ ଚେହେରା କରୁଛି ତାହା ଦେଖିବାକୁ ବାକି ରହିଲା ।