ରାଜ୍ୟରେ ଆଜିଠୁ ଖରାଛୁଟି : ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପିଟିଏମ୍; ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ

261

କନକ ବ୍ୟୁରୋ : ରାଜ୍ୟରେ ଆଜିଠୁ ଖରାଛୁଟି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଗୁଆ ଖରାଛୁଟି କରାଯାଇଛି । ଏପ୍ରିଲ ୨୧ରୁ ଜୁନ୍ ୧୬ ଯାଏଁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଅପ୍ୟପକ୍ଷରେ ଆଜି ଅନୁଷ୍ଠିତ ହେବାକୁ ଥିବା ୨୦୨୩-୨୪ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହୋଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ ବୈଠକ ବସିଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗୁଆ ଖରାଛୁଟି ଓ ପିଲାଙ୍କ ପାଠପଢ଼ା ନେଇ ଆଲୋଚନା ହେଉଛି ।

ଚଳିତବର୍ଷ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା କାର୍ଯ୍ୟରେ ନିୟୋଜିତ ରଖିବା ଲାଗି ପ୍ରାଥମିକରୁ ମାଧ୍ୟମିକ ସ୍ତରର ପିଲାଙ୍କ ପାଇଁ ‘ଅବକାଶ ଗୃହ କାର୍ଯ୍ୟ’ ପୁସ୍ତିକା ଅଭିଭାବକଙ୍କୁ ପ୍ରଦାନ କରାଯିବ । ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କ ଅଭିଭାବକଙ୍କ ସହାୟତାରେ ଏହି ଗୃହ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବେ। ଅଭିଭାବକମାନେ ମଧ୍ୟ ପିଲାଙ୍କୁ ଏହି ‘ଅବକାଶ ଗୃହ କାର୍ଯ୍ୟ’ ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ। ଫଳରେ ପିଲାମାନେ ଖରା ଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇ ରହିବେ। ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାସ୍ତରରେ ହେଲ୍ପ ଡେସ୍କ ତଥା କଲ୍‌ ସେଣ୍ଟର ଖୋଲିବ ।

ଗ୍ରୀଷ୍ମ ଛୁଟି ପରେ ଏବେ ଅଧିକାଂଶ ଘରୋଇ ବିଦ୍ୟାଳୟ ଅନ୍‌ଲାଇନ୍‌ କ୍ଲାସ ଉପରେ ଗୁରୁତ୍ବ ଦେଇଛନ୍ତି । ପିଲାମାନଙ୍କ ଶିକ୍ଷାବର୍ଷ ‌ଯେପରି ପ୍ରଭାବିତ ନ ହେବ, ଛାତ୍ରଛାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟର ପ୍ରମୁଖ ଘରୋଇ ସ୍କୁଲ ଅନ୍‌ଲାଇନ୍‌ କ୍ଲାସର ରୂପରେଖ ପ୍ରସ୍ତୁତ କରିଛନ୍ତି । ସପ୍ତାହର କେଉଁ ଦିନ କେଉଁ ବିଷୟରେ କେତେ ସମୟ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ସେନେଇ ତାଲିକା ପ୍ରସ୍ତୁତ ସହ ଅଭିଭାବକଙ୍କୁ ଅବଗତ କରାଯାଇଛି ।