ବିକାଶରେ ନହେଉ ରାଜନୀତି । ନୀତି ଆୟୋଗ ବୈଠକରେ ଓଡିଶା ଯୋଗ ନଦେବା ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ।

41

କନକ ବ୍ୟୁରୋ : ଦେଶର ପଛୁଆ ଜିଲ୍ଲାଙ୍କ ସାମଗ୍ରିକ ଉନ୍ନତି ପାଇଁ କେନ୍ଦ୍ର ଯୋଜନାରେ ସାମିଲ ନେଇ ଓଡିଶା ସରକାର ସହମତି ପ୍ରକାଶ କରି ନାହାନ୍ତି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୀତି ଆୟୋଗ ଏନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ଓଡିଶା ସାମିଲ ନହେବା ଦୁର୍ଭାଗ୍ୟଜନକ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ । ଏ ବାବଦରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚାହିଁଥିଲେ ପଛୁଆ ଅଂଚଳ ଜିଲ୍ଲାର ତାଲିକା ପରିବର୍ତନ କରିପାରିଥାନ୍ତେ । କିନ୍ତୁ ରାଜ୍ୟ ସରକାର ଏଥିରେ ସହମତ ହେଲେନାହିଁ । ଏ ନେଇ ମୁଖ୍ୟଶାସନ ସଚିବ ନିଜେ ଚିଠି ଲେଖିଥିଲେ ନା କାହା ଚାପରେ ଚିଠି ଲେଖିଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିକାଶ କାମରେ ରାଜନୀତି ନ ହେଉ । ମୁଖ୍ୟମନ୍ତ୍ରୀ ନିଜେ ଏହାର ସମୀକ୍ଷା କରନ୍ତୁ ।

ଓଡିଶାକୁ ଏକ ନମ୍ବର କରିବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବାକୁ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ନୀତି ଆୟୋଗ ରାଜ୍ୟର ୮ଟି ଜିଲ୍ଲା ସହ ଦେଶର ୧୧୫ ଟି ଜିଲ୍ଲାକୁ ପଛୁଆ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଏଥିରେ କିନ୍ତୁ ଓଡିଶା ସହମତି ହୋଇନଥିଲା । ଏପରିକି ନୀତି ଆୟୋଗ ବୈଠକରେ ଓଡିଶା ସାମିଲ ବି ହୋଇନଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି । ରାଜ୍ୟ କ୍ଷମତାକୁ ସଂକୁଚିତ କରିବା ପାଇଁ ଏହା ବିଜେପିର ସଫେଇ ବୋଲି କହିଛନ୍ତି ସରକାରୀ ଉପମୁଖ୍ୟ ସଚେତକ ଅମର ଶତପଥୀ । ଏହା ସହ ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ବୟାନରୁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହ ସଂଘର୍ଷ ନୁହେଁ ବରଂ ରାଜ୍ୟର ବିକାଶ ଚାହାନ୍ତି । ପଛୁଆ ଜିଲ୍ଲା ଚିହ୍ନଟ ରାଜ୍ୟର ଦାୟିତ୍ୱ, କିନ୍ତୁ ନୀତି ଆୟୋଗର ଦୃଷ୍ଟିଭଙ୍ଗୀ ରାଜ୍ୟର ସହଯୋଗୀଭିତିକ ନୁହେଁ । ଓଡ଼ିଶାରେ ଗରିବୀ କମିଛି ବୋଲି କେନ୍ଦ୍ର ସରକାର ନିଜେ ସ୍ପଷ୍ଟ କରିଥିବା କହିଛନ୍ତି ଅମର ।

ସେପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର କଡାଜବାବ ଦେଇଛି ବିଜେଡି । ଦଳର ସାଂସଦ ପ୍ରତାପ ଦେବ କହିଛନ୍ତି, କେନ୍ଦ୍ରର ଏହି ଯୋଜନା ବହୁ ଆଡମ୍ବରରେ ଲଘୁକ୍ରିୟା ଭଳି । ବ୍ୟବସ୍ଥା ଭିତରେ ବ୍ୟବସ୍ଥା ରହିଲେ ଅବ୍ୟବସ୍ଥା ସୃଷ୍ଟି ହେବ । ନୀତି ଆୟୋଗର ପ୍ରସ୍ତାବରେ କୌଣସି ନୂତନତ୍ୱ ନାହିଁ । ନୀତି ଆୟୋଗ ଏବେ ଯାହା କହୁଛି ଆମେ ୧୦ ବର୍ଷ ହେଲା ତାହା ପ୍ରୟୋଗ କରିଆସୁଛୁ ।