ଆସୁଛନ୍ତି ମହାମହିମ : ରାଷ୍ଟ୍ରପତି ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ପାଦ ଥାପିବେ

149

କନକ ବ୍ୟୁରୋ : ନିଜ ଗାଁ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ପାଦ ଦେବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେଲା ପରେ ଓଡ଼ିଶାକୁ ପୂର୍ବରୁ ଦୁଇଥର ଗସ୍ତ କରିସାରିଛନ୍ତି ଦ୍ରୌପଦୀ ମୁର୍ମୁ । କିନ୍ତୁ ନିଜ ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ସମଗ୍ର ଜିଲ୍ଲାରେ ଉତ୍ସବର ମାହୋଲ ଖେଳିଯାଇଛି । ତିନି ଦିନ ଧରି ରାଷ୍ଟ୍ରପତି ମୟୂରଭଞ୍ଜରେ ରହିବେ ।

ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର । ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ପ୍ରଦକ୍ଷଣ ଗୃହରେ ୨୦୦୮ରେ ନିର୍ମିତ ଭିଭିଆଇପି ଲାଉଞ୍ଜରେ ରହିବେ ରାଷ୍ଟ୍ରପତି । ସେଥିପାଇଁ ଟାଇଲଠାରୁ ଆରମ୍ଭ କରି ଲାଇଟ୍, ଆସବାବପତ୍ର, ସବୁ କିଛି ନୂଆ କରାଯାଇଛି । ମାଟି ରାସ୍ତାକୁ ପିଚୁ ମଧ୍ୟ କରାଯାଇଛି । ଏହାବ୍ୟତୀତ ରାଷ୍ଟ୍ରପତି ସହ ଆସୁଥିବା ତାଙ୍କର କର୍ମଚାରୀମାନଙ୍କ ରହଣି ପାଇଁ ସର୍କିଟ ହାଉସରେ ୧୪ଟି ସୁଟ୍ ମଧ୍ୟ ଚକାଚକ କରାଯାଇଛି । ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା ।

ଅନ୍ୟପଟେ ରାଷ୍ଟ୍ରପତି ଗସ୍ତ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ଦେଖିବାକୁ ମିଳିଛି । ବିଶେଷକରି ରାଇରଙ୍ଗପୁରର ପାହାଡ଼ପୁର ସ୍ଥିତ ଶ୍ୱଶୁରଘର, ଉପବେଡ଼ାସ୍ଥିତ ବାପଘର ଓ ମହୁଲପଡ଼ାସ୍ଥିତ ନିଜ ଘରେ ଉତ୍ସବର ମାହୋଲ ରହିଛି । ସଫଳତାର ଶୀର୍ଷ ଛୁଇଁଥିବା ମାଟିର ଝିଅଙ୍କୁ ପାଖରୁ ଦେଖିବା ପାଇଁ ସମସ୍ତେ ଅନାଇ ବସିଛନ୍ତି । ସେହିପରି ମହାମହିମ ରାଷ୍ଟ୍ରପତିଙ୍କ ଶିମିଳିପାଳ ଗସ୍ତ କାର୍ଯ୍ୟକ୍ରମ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଦିନ ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।