୭ରେ ଲଘୁଚାପ, ୯ ତାରିଖରେ ବାତ୍ୟା ଆଶଙ୍କା : ସାମୁଦ୍ରିକ ଝଡ଼ ନେଇ ବଙ୍ଗୋପସାଗରରେ ଅନୂକୂଳ ରହିଛି ସ୍ଥିତି

1,455

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ । ଆଉ ୮ ତାରିଖରେ ଏହା ଅବପାତରେ ପରିଣତ ହୋଇ ଉତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ତେବେ ଏହାର ଗତି ପଥ କଣ ହେବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାଣିପାଗ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲର ଆକଳନ ଅନୁସାରେ ୧୨ତାରିଖରେ ବାତ୍ୟା ବାଂଲାଦେଶ-ମିଆଁମାର ମଝିରେ ସ୍ଥଳଭାଗ ଛୁଇଁପାରେ ।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସମୁଦ୍ର ଭିତରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବା ନେଇ ପାରିପାର୍ଶ୍ବିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ୭ ତାରିଖରୁ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ଛୁଇଁପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ୭ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ଯେଉଁମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନେ ୭ ତାରିଖ ସୁଦ୍ଧା ‌ସୁରକ୍ଷିତ ସ୍ଥା‌ନକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଏବେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ ନାହିଁ। ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ସ୍ପଷ୍ଟ ହେବ । ବର୍ତ୍ତମାନ ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନ ସମ୍ପର୍କରେ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ତେଣୁ ଲୋକେ ଭୟଭୀତ ହୁଅନ୍ତୁ ନାହିଁ ।