ସରକାର ବିକାଶର ବାଜା ବଜାଉଛନ୍ତି, ଗର୍ଭବତୀ ଖଟିଆରେ ବୁହାହେଉଛନ୍ତି । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ବୋହି ବୋହି ମେଡିକାଲ ନେଲେ ଲୋକେ

166

କନକ ବ୍ୟୁରୋ: କଣ ପାଇଁ କମୁନି ଜନନୀ ଯନ୍ତ୍ରଣା ? ସରକାର ଅପହଞ୍ଚ ଇଲାକାରେ ବିକାଶ ପହଞ୍ଚାଇବାକୁ ଯୋଜନା ପରେ ଯୋଜନା କରୁଛନ୍ତି । ସରକାରୀ ବାବୁ ଓ ସରକାରୀ ବ୍ୟବସ୍ଥାକୁ ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଉଛନ୍ତି ହେଲେ କୌଣସି ସୁଫଳ ମିଳୁନି । ଯଥା ପୂର୍ବଂ ତଥା ପରଂ । ଅର୍ଥାତ ଗର୍ଭବତୀ ମହିଳାଟି ସେହି ଯନ୍ତ୍ରଣା ପାଇବାଟା ଥୟ । ଗାଁକି ରାସ୍ତାଟିଏ ନଥିବାରୁ ପୁଣି ଜଣେ ଜନନୀ ଖଟିଆରେ ବୁହା ହୋଇଛନ୍ତି । ଗାଁ ଲୋକଙ୍କ ସହୟତାରେ ତାଙ୍କୁ ମେଡିକାଲ ନିଆଯାଇଛି । ତେବେ ଏଭଳି ଏକ ଖବର ଆସିଛି ନୂଆପଡା ଅଞ୍ଚଳରୁ ।

ସୂଚନା ଅନୁସାରେ ଆଜି ନୂଆପଡା କପରଗଡ଼ ଗାଁର ଉମାଶଙ୍କର ମାଝୀଙ୍କ ସ୍ତ୍ରୀ ଘରମଣୀ ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ତ୍ରୀଙ୍କୁ ମେଡିକାଲ ନେବା ପାଇଁ ଉମାଶଙ୍କର ସ୍ଥାନୀୟ ଆଶାକର୍ମୀଙ୍କୁ ଫୋନରେ ଜଣାଇଥିଲେ। ଏହା ପରେ ଆଶାକର୍ମୀ ଓ ଏଏନଏମ୍ ଏବାବଦରେ ଆମ୍ବୁଲାନସକୁ ଜଣାଇଥିଲେ। ମାତ୍ର ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନସ ଆସିପାରି ନଥିଲା । ତେଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଡାକ୍ତରଖାନା ତରଫରୁ ପୂର୍ବରୁ ଦିଆଯାଇଥିବା ଷ୍ଟ୍ରେଚରରେ ଗର୍ଭବତୀ ଙ୍କୁ ଏକ ବୋହି ନେଇଥିଲେ।

ଗ୍ରାମବାସୀମାନେ ଦୀର୍ଘ ୩ କିଲୋମିଟର ପର୍ୟ୍ୟନ୍ତ ଏହି ଷ୍ଟ୍ରେଚରରେ ବୋହି ଗର୍ଭବତୀଙ୍କୁ ଶେଷରେ ନେଇ ଖଡ଼ିଆଲ ସରକାରୀ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।