ଆସନ୍ତାକାଲି ବିଦାୟ ନେବ ଭାରତର ବାହାଦୁର ‘ମିଗ୍-୨୭’ । କାରଗିଲ ଯୁଦ୍ଧରେ ପାକିସ୍ତାନକୁ ଚଟାଇଥିଲା ଧୂଳି, ୪ ଦଶନ୍ଧି ଧରି ଶତ୍ରୁ ଶିବିରରେ ଖେଳାଉଥିଲା ଆତଙ୍କ ।

320

କନକ ବ୍ୟୁରୋ : ବିଦାୟ ନେବ ବାହାଦୁର । ଇତିହାସ ପାଲଟିଯିବ ମିଗ୍ ୨୭ ଯୁଦ୍ଧ ବିମାନ । କାରଗିଲ୍ ଯୁଦ୍ଧର ହିରୋ ଓ ଭାରତର ବାହାଦୁର ‘ମିଗ୍ – ୨୭’ ଲଢ଼ୁଆ ବିମାନର ଯୁଗ ଶେଷ ହେବାକୁ ଯାଉଛି । କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନକୁ ନାକରେ ପାଣି ପିଆଇଥିବା ଏହି ମିଗ୍ ବିମାନ ନିଜର ସଫଳ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ୪ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିବା ଏହି ଲଢ଼ୁଆ ବିମାନକୁ ଡି-କମିସନ୍ କରାଯିବ, ଅର୍ଥାତ ସେବା ନିବୃତ କରାଯିବ । ଆସନ୍ତାକାଲି ବା ଡିସେମ୍ବର ୨୭ ତାରିଖରେ ଶେଷ ଉଡ଼ାଣ ସହ ଭାରତୀୟ ବାୟୁସେନାର ‘ବାହାଦୁର’ ନାମରେ ପରିଚିତ ଯୁଦ୍ଧ ବିମାନ ମିଗ୍ – ୨୭କୁ ଅନ୍ତିମ ବିଦାୟ ଦିଆଯିବ । ଏହା ସହ ଶେଷ ହେବ ମିଗ୍ – ୨୭ର ଗୌରବମୟ ଅଧ୍ୟାୟ । ୪ ବର୍ଷ ଧରି ଏ ନେଇ ପ୍ରସ୍ତୁତି ଚାଲିଥିଲା ।

ଆସନ୍ତାକାଲି ଯୋଧପୁର ବାୟୁସେନା ଘାଟିରେ ମିଗ୍-୨୭ର ଶେଷ ସ୍କ୍ୱାଡ୍ରନର ୭ଟି ବିମାନକୁ ସେବା ନିବୃତ କରାଯିବ । ଆଉ ଦେଶର କୌଣସି ଠାରେ ଏହି ବିମାନ ଉଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ବାୟୁସେନା । କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ବିମାନ ଏବେ ଇତିହାସ ପାଲଟିବାକୁ ଯାଉଛି । କାରଣ ଅନ୍ୟ କୌଣସି ଦେଶରେ ବର୍ତମାନ ଏହି ଯୁଦ୍ଧ ବିମାନ ନାହିଁ ।

କାହିଁକି ଭାରତୀୟ ବାୟୁସେନାର ବାହାଦୁର ଥିଲା ମିଗ-୨୭

– ତତ୍କାଳୀନ ସୋଭିଏତ୍ ରୁଷ ନିର୍ମିତ ଯୁଦ୍ଧ ବିମାନ ମାଇକୋୟାନ୍ ଆଇ ଗୁରେଭିଚ୍ ବା ଏମଆଇଜି ବା ମିଗ୍ – ୨୭
– ୧୯୮୧ ମସିହାରେ ଭାରତୀୟ ବାୟୁସେନାରେ ହୋଇଥିଲା ସାମିଲ୍
– ଏକଦା ଭାରତୀୟ ବାୟୁସେନାର ଅଧା ଶକ୍ତି ଥିଲା ମିଗ୍-୨୭
– ସୋଭିଏତ୍ ରୁଷ ଜ୍ଞାନ କୌଶଳରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ନିର୍ମାଣ କରିଥିଲା ୧୬୫ ଲଢ଼ୁଆ ବିମାନ
– ପରେ ୮୬ଟି ବିମାନକୁ ଅପଡେଟ୍ କରାଯାଇଥିଲା
– ବାୟୁସେନାର ‘ବାହାଦୁର’ ଭାବେ ଖ୍ୟାତି ଅର୍ଜିଥିଲା ଏହି ଲଢ଼ୁଆ ବିମାନ
– କାରଗିଲ୍ ଯୁଦ୍ଧରେ ହିରୋ ପାଲଟିଥିଲା ମିଗ୍ – ୨୭
– ଆକାଶରୁ ଭୂଷୃଷ୍ଠ ଉପରେ ଆକ୍ରମଣ ପାଇଁ ଥିଲା ଅମୋଘ ଅସ୍ତ୍ର
– ହଜାଇ ଦେଇଥିଲା ଶତ୍ରୁ ପକ୍ଷର ନିଦ
– ଘଣ୍ଟା ପ୍ରତି ସର୍ବାଧିକ ୧୮୮୫ କିଲୋମିଟର
– ଲମ୍ବ – ୧୭ ମିଟର
– ୪,୦୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ଥିଲା