ଲଘୁଚାପ ଆଣିବ କି ବାତ୍ୟା? ଜାଣନ୍ତୁ କାହାର ଆକଳନ କଣ, ଓଡ଼ିଶା ଉପରେ କଣ ପଡିବ ପ୍ରଭାବ?

432

କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଆଶଙ୍କା ବଢିଛି । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ? ବାତ୍ୟାର ରୂପ ନେଲେ କେଉଁଠି ସ୍ଥଳଭାଗକୁ ଛୁଇଁବ ? ଏନେଇ ପାଣିପାଗ ବିଜ୍ଞାନୀ, ପାଣିପାଗ ସଂସ୍ଥା ନଜର ରଖିଛନ୍ତି ଏବଂ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଯାଏଁ ସ୍ପଷ୍ଟ ଚିତ୍ର ଦେଇନାହିଁ । ସେପଟେ ସ୍କାଏମେଟ ପୂର୍ବାନୁମାନ କରି କହିଛି ଲଘୁଚାପ ବାତ୍ୟାର ରୂପ ନେଲେ ଓଡିଶା ଉପରେ ଅଧିକ ପ୍ରଭାବ ପଡିବ ନାହିଁ । ସେପଟେ ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି ଡଟ କମ ଆକଳନ କରି କହିଛି, ମେ ୧୦ ତାରିଖରେ ବାଲେଶ୍ୱର ନିକଟରେ ବାତ୍ୟା ମାଡ ହେବ ।

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏବେ ପାଣିପାଗ ବିଜ୍ଞାନୀଙ୍କ ନଜର ରହିଛି କାରଣ ଏଠାରେ ବଡ ଧରଣର ହଲଚଲ ହେବାକୁ ଯାଉଛି  । ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି ଏହି ଆକାଶରେ ମେଘ ଆସିବ ଏବଂ ପରେ ପରେ ୪ ତାରିଖରେ ଘୁର୍ଣ୍ଣିବଳୟ ଓ ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପୁଣି ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ ।ଆମେ ଆଇଏମଡି ଅଧିକାରୀଙ୍କ ସହ ଏହାର ପରବର୍ତ୍ତୀ ସ୍ଥ୍ିତିକୁ ନେଇ କଥା ହୋଇଥିଲୁ । ସେମାନଙ୍କ କହିବା କଥା ଯେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ  ହିଁ ଝଡର ଗତିପଥ ଆକଳନ କରିହେବ । ଏବେ ଠାରୁ କୌଣସି ବି ଆକଳନ ଭୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେପଟେ ଭାରତର ଘରୋଇ ପାଣିପାଗ ଆକଳନ ସଂସ୍ଥା ସ୍କାଏମେଟ୍ କହିଛି ବର୍ତ୍ତମାନ ସମୟରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ତାହା ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି । କାରଣ ବର୍ତମାନର ପାଗ ଝଡ ସୃଷ୍ଟି କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । କିନ୍ତୁ ସ୍କାଏମେଟ ପକ୍ଷରୁ କୁହାଯାଇଛି ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏହି ଝଡ ଓଡିଶା ବିଶେଷ ପ୍ରଭାବ ପକାଇବ ନାହିଁ ।

ଅନ୍ୟପଟେ ବିଦେଶୀ ପାଣିପାଗ ସଂସ୍ଥା ଓିଣ୍ଡି ଡଟ୍ କମର ଆକଳନ ଅନୁସାରେ ବାଲେଶ୍ୱର ନିକଟରେ ରାତି ପ୍ରାୟ ୬ଟାରୁ ୮ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା । ମେ ୧୦ ତାରିଖ ଦ୍ୱିପ୍ରହରରୁ ବାଲେଶ୍ୱର ,ସୋର ,ଜଳେଶ୍ୱର ଓ ଆଖପାଖ ଅଂଚଳରେ ଏହାର ପ୍ରଭାବ ଆରମ୍ଭ ହେବ ଏବଂ ସନ୍ଧ୍ୟାବେଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ୫ ତାରିଖରେ ଲଘୁଚାପ  କ୍ଷେତ୍ର ସୃଷ୍ଟି ହେବାକୁ ଥିବାରୁ ଏବେଠୁ  କରାଯାଇଥିବା ଆକଳନ କେତେ ଠିକ ହେବ ତାକୁ ନେଇ ସନ୍ଦେହ ରହିଛି । ୫ ତାରିଖ ପରେ ଏହି ଚିତ୍ର ଆହୁରି ସ୍ପଷ୍ଟ ହୋଇପାରେ ।