ଘରେ ରଖିଥିଲେ ଏକେ ୪୭ । ୨୮ ରାଉଣ୍ଡ ଗୁଳି ଓ ଦୁଇଟି ମାଗାଜିନ୍ ସହ ହତ୍ୟା ଅଭିଯୋଗରେ ପ୍ରମୋଦ ମାଝୀ ଗିରଫ

185

କନକ ବ୍ୟୁରୋ : ଗଜପତି ଜିଲ୍ଲା ଅଡବା ଥାନା ଜାଡିଙ୍ଗ ଗାଁରୁ ଏକେ ୪୭ ଜବତ । ଏହା ସହ ୨୮ ରାଉଣ୍ଡ ଗୁଳି ଓ ଦୁଇଟି ମେଗାଜିନ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଅଡବା ପୋଲିସ । ଗିିରଫ ଅଭିଯୁକ୍ତ ଅଡବା ଗାଁର ପ୍ରମୋଦ ମାଝୀ । ପ୍ରମୋଦ ପୂର୍ବରୁ ମାଓ ସଂଗଠନରେ ଥିଲା । ପରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଗାଁର ଡମ୍ବରୁଧର ମାଝୀଙ୍କୁ ଗୁଣିଆ ସନ୍ଦେହରେ ଏହି ବନ୍ଧୁକରେ ଆକ୍ରମଣ ଅଭିଯୋଗରେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ ପ୍ରମୋଦ ମାଝୀ ଓରଫ ସାଗର ମାଓନେତା ସବ୍ୟସାଚୀଙ୍କ ଘନିଷ୍ଠ ସହଯୋଗୀ ତଥା ମାଓ କ୍ୟାଡର୍‌ ଆରତୀ ମାଝୀଙ୍କ ଜଣେ ସଂପର୍କୀୟ। ଏକାଧିକ ମାଓହିଂସା କାର୍ଯ୍ୟକଳାପରେ ସଂପୃକ୍ତ ଥିବା ପ୍ରମୋଦ ଗତ ୨୦୧୫ରେ ଦକ୍ଷିଣାଞ୍ଚଳ ପୁଲିସ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲା। ଥଇଥାନ ନୀତି ଅନୁସରଣ କରି ମୁଖ୍ୟସ୍ରୋତକୁ ଫେରିଥିବାରୁ ସରକାର ପ୍ରମୋଦଙ୍କ ପତ୍ନୀଙ୍କୁ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଦେଇଥିଲେ। ତେବେ କୌଣସି କାରଣରୁ ପ୍ରମୋଦର ଏକ ଶିଶୁର ମୃତ୍ୟୁ ହୋଇଥିଲା। ଗୁଣି କରି ଶିଶୁକୁ ମାରିଥିବା ନେଇ ସେ ପାଷ୍ଟର ଡମ୍ବରୁଧର ମାଝୀଙ୍କ ଉପରେ ସନ୍ଦେହ କରିଥିଲା।