ସାରା ଦେଶରେ ରଙ୍ଗ, ଉଲ୍ଲାସର ପର୍ବ ହୋଲିର ଧୁମ । ମିଠା ଖୁଆଇ,ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଲେ ରାଜନେତା

74

କନକ ବ୍ୟୁରୋ : ସାରା ଦେଶରେ ଚାଲିଛି ହୋଲିର ମାହୋଲ । କିଏ ଗାଉଛି ତ କିଏ ନାଚୁଛି । ହୋଲିର ମାହୋଲ ଭିତରେ ସାଧାରଣ ଜନତାଙ୍କ ଭଳି ଝୁମିଛନ୍ତି ରାଜନେତା । ପରସ୍ପରକୁ ରଙ୍ଗ ବୋଳିଛନ୍ତି ହୋଲି ମନାଇଛନ୍ତି । ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ପାଳିଛନ୍ତି ହୋଲି । ଉଚ୍ଚନୀଚ୍ଚ ଭେଦଭାବ ଭୂଲି ସାଧାରଣ ଜନତାଙ୍କ ସହ ନିଜ ନିଜ ବାସଭବନରେ ହୋଲି ଖେଳିଛନ୍ତି । ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ବାସଭବନରେ ହୋଲି ପାଳନ କରିଛନ୍ତି । ଏହି ଅବସରରେ ତାଙ୍କ ସହ ସାମିଲ ହୋଇଥିଲେ ଆମେରିକା ବାଣିଜ୍ୟିକ ସଚିବ ଜିନା ରାୟମୋଣ୍ଡୋ । ଆମେରିକୀୟ ବାଣିଜ୍ୟିକ ସଚିବ ହୋଲି ଖେଳିବା ସହ ଡାନ୍ସ ମଧ୍ୟ କରିଥିଲେ ।ରାଜନାଥଙ୍କ ବାସଭବନରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଓ ପିୟୁଷ ଗୋଏଲ ମଧ୍ୟ ଯୋଗଦେଇ ହୋଲି ଖୁବ ଧୁମଧାମରେ ହୋଲି ପାଳିଛନ୍ତି ।

ହୋଲି ଅବସରରେ ବିହାରର ମନ୍ତ୍ରୀ ତେଜ ପ୍ରତାପ ଯାଦବ ମଧ୍ୟ ଧୁମଧାମରେ ହୋଲି ପାଳନ କରିଛନ୍ତି । ପାଟନା ସ୍ଥିତ ତାଙ୍କ ସରକାରୀ ବାସଭବନରେ ହୋଲି ପାଇଁ ସ୍ୱତନ୍ତ୍ର ଆୟୋଜନରେ ତେଜ ପ୍ରତାପ ଯାଦବ କୃଷ୍ଣ ବେଶ ହୋଇ ବଇଁଶି ବଜାଉଥିବା ଦେଖିବାକୁ ମିଳିଛି । ଏହାସହ ବିହାରର ‘ଲଠ୍ ମାର୍’ ହୋଲି ପାଳନ କରିଛନ୍ତି ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବି ରଙ୍ଗ ଉତ୍ସବ ପାଳନ କରିଛନ୍ତି । ହୋଲି ଅବସରରେ ଛତିଶଗଡର ଦୁର୍ଗରେ ଆୟୋଜିତ ସ୍ୱତନ୍ତ୍ର ରଙ୍ଗୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ରାଜନୈତିକ, ଆର୍ଥିକ, ସାମାଜିକ ଆଦି ସମସ୍ତ ବିଭିନ୍ନତାକୁ ଭୁଲି ସମସ୍ତେ ହୋଲି ଖେଳିଛନ୍ତି । ହୋଲି ରଙ୍ଗ ପରି ଯେପରି ସମସ୍ତଙ୍କ ଜୀବନରେ ରଙ୍ଗ ଭରିଯାଉ ଏନେଇ ସମସ୍ତେ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ଦେଶବାସୀଙ୍କୁ ଟ୍ୱିଟ କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।