‘ଶିବଶକ୍ତି ପଏଣ୍ଟ’କୁ ନେଇ ରାଜନୀତି: କଂଗ୍ରେସର ବିରୋଧ, ଇସ୍ରୋର ସ୍ୱାଗତ

147

କନକ ବ୍ୟୁରୋ: ଶିବଶକ୍ତି ପଏଂଟ । ଜହ୍ନର ଯେଉଁ ସ୍ଥାନରେ ଚନ୍ଦ୍ର ଥ୍ରୀ ଅବତରଣ କରିଛି ଏବେ ସେ ସ୍ଥାନ ଶିବଶକ୍ତି ପଏଂଟ ନାଁ ପାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ କହିଛି ଇସ୍ରୋର ସଫଳତାକୁ ବିଜେପି ନିଜର ଶ୍ରେୟ ବୋଲି କହି ପ୍ରଶଂସା ଗୋଟାଉଛି । ଧର୍ମ ଆଳରେ ଶିବଶକ୍ତି ନାଁ ଦେଇଛି ।ଯାହାକୁ ଦେଶବାସୀ ଗ୍ରହଣ କରିବେନି । ସେପଟେ ଇସ୍ରୋ ମୁଖ୍ୟ କହିଛନ୍ତି ନାମକରଣରେ ନାହିଁ କୌଣସି ଅସୁବିଧା ।

ଜହ୍ନ ଛୁଇଁସାରିଛି ଚନ୍ଦ୍ରଯାନ ଥ୍ରୀ । ଏପଟେ ଆରମ୍ଭ ହୋଇଛି ରାଜନୀତି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଜହ୍ନର ଯେଉଁ ସ୍ଥାନରେ ଚନ୍ଦ୍ରଯାନ ଥ୍ରୀ ଅବତରଣ କରିଛି ଏହାର ନାମକରଣ କରିଛନ୍ତି । ଅବତରଣ ସ୍ଥାନର ନାଁ ଦିଆଯାଇଛି ଶିବଶକ୍ତି ପଏଂଟ । ଏବେ ଏହାକୁ ବିରୋଧୀ ସମାଲୋଚନା କରିବା ସହ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ବିଜେପି ସରକାର ସବୁଠି ଶ୍ରେୟ ନେବାକୁ ପ୍ରୟାସ କରୁଛି ଓ ଏଥିରୁ ଚନ୍ଦ୍ର ମଧ୍ୟ ବାଦ ପଡିନଥିବା କହିଛି କଂଗ୍ରେସ । ଧର୍ମଆଧାରରେ ବିଜେପି ନାମକରଣ କରୁଛି ଓ ଏହାକୁ ଦେଶବାସୀ ଗ୍ରହଣ କରିବେନି ବୋଲି କହିଛନ୍ତି କଂଗ୍ରେସ ନେତା ରାସିଦ ଅଲବୀ ।

ସେପଟେ ବିବାଦ ଭିତରେ ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଚନ୍ଦ୍ରଯାନ ଥ୍ରୀର ଅବତରଣ ସ୍ଥଳକୁ ଶିବଶକ୍ତି ନାମକରଣ କରାଯିବା ଭୁଲ ନୁହେଁ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ।

ଏଥିସହ ଇସ୍ରୋ ମୁଖ୍ୟ କହିଛନ୍ତି ବିଜ୍ଞାନ ଓ ବିଶ୍ୱାସ ଦୁଇଟି ଭିନ୍ନ କଥା । ଉଭୟଙ୍କୁ ମିଶାଇବା ଉଚିତ ନୁହେଁ । ଜଣେ ଗବେଷକ ହିସାବରେ ଗବେଷଣା  କରୁଛି କିନ୍ତୁ ଆଧ୍ୟାତ୍ମିକ ଦିଗରେ ମୋ ଜୀବନ ଯାତ୍ରାର ଏକ ଅଂଶ ବୋଲି କହିଛନ୍ତି ଏସ ସୋମନାଥ ।

ଅଗଷ୍ଟ ୨୩ରେ ଜହ୍ନରେ ପାଦ ଥାପିଛି ଭାରତ । ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରଯାନ ଥ୍ରୀର ଅବତରଣ ସ୍ଥାନ ନାଁ ଶିବଶକ୍ତି ପଏଂଟ ରଖିବା ପରେ ଏନେଇ ରାଜନୀତି ଆରମ୍ଭ ହୋଇଛି । ବିବାଦ ଦେଖାଯାଇଛି ସତ କିନ୍ତୁ ଇସ୍ରୋ ମୁଖ୍ୟ ନାମକରଣ  କୌଣସି ଭୁଲ ନୁହେଁ ବୋଲି କହିବା ପରେ ହୁଏତ ସମାଲୋଚକଙ୍କୁ ସେମାନଙ୍କ ଉତର ମିଳିସାରିଥିବ ।