ବଲାଙ୍ଗୀରରୁ ନେପାଳ ଭାୟା ବିହାର: ବଲାଙ୍ଗୀରରୁ ଚୋରି ହୋଇଥିବା ୧୧୩ଟି ମୋବାଇଲକୁ ବିହାର-ନେପାଳ ସୀମାରୁ ଜବତ କଲା ପୋଲିସ

140

କନକ ବ୍ୟୁରୋ: ବଲାଙ୍ଗୀରରୁ ନେପାଳ ଭାୟା ବିହାର । ବଲାଙ୍ଗୀରରୁ ଚୋରି ହୋଇଥିବା ମୋବାଇଲ ବିହାର-ନେପାଳ ସୀମାରୁ ଜବତ କରିଛି ପୋଲିସ । ଏହାସହ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ପ୍ରାୟ ୧୧୩ଟି ଦାମୀ ମୋବାଇଲ ଜବତ କରିବା ସହ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ବିହାର-ନେପାଳ ସୀମାରୁ ଏହି ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ଗତ ଜାନୁଆରୀ ୧୬ ତାରିଖରେ ସହରର ଡ଼େଲି ମାର୍କେଟ ଅଂଚଳର ଏକ ମୋବାଇଲ ଦୋକାନରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଦେଢ ଶହଟି ମୋବାଇଲ ଚୋରି କରିଥିଲେ ଦୁବୁର୍ତ ।

ଏନେଇ ଦୋକାନ ମାଲିକ ଶୋଭାକର ମେହେର ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଚୋରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଚୋରଙ୍କ ମୋବାଇଲ ଟ୍ରାକ କରି ବିହାରର ଗୋରାସହନରୁ ପୋଲିସ ସେମାନଙ୍କୁ ଧରିଛି । ୧୫୦ଟି ମୋବାଇଲରୁ ୧୧୩ଟି ଜବତ କରାଯାଇଛି । ଆଉ କିଛି ସମୟ ବିଳମ୍ବ ହୋଇଥିଲେ ଏହି ଚୋରମାନେ ନେପାଳ ସୀମାକୁ ପ୍ରବେଶ କରିଯାଇଥାନ୍ତେ । ତେବେ ଏହା ପୂର୍ବରୁ ବଲାଙ୍ଗୀର ପୋଲିସ ତାଙ୍କୁ ଗିରଫ କରିଛି ।