ଅନୁଗୋଳ  : ନେତାଙ୍କ ଲଢେଇ ବିଜେଡିକୁ କାଳ, ବିଜେପି ପାଇଁ ବିପଦ ଅନ୍ତଃକନ୍ଦଳ! ଦୁର୍ବଳ ‘ହାତ’ କେମିତି ପାଇବ ବଳ?

250

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ଅନୁଗୋଳ ରାଜନୀତି । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦଳୀୟ ସମର୍ଥନ ପାଇବାକୁ ଏକାଧିକ ପ୍ରାର୍ଥୀଙ୍କ ନାମାଙ୍କନଦାଖଲ ବଡ ସମସ୍ୟା ଭାବେ ରାଜନୈତିକ ଦଳର ଚିନ୍ତା ବଢାଇଛି । ଆଉ ଏଥିରୁ ଅନୁଗୋଳ ମଧ୍ୟ ବାଦ୍ ପଡିନି । ତେଣୁ ଜିଲ୍ଲା ରାଜନୀତି ଏବେ କେଉଁ ମୋଡକୁ ଗତି କରିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହୋଇପଡିଛି । କାରଣ ପୂର୍ବରୁ ବିଜେଡିର ଗଡ ରହି ଆସିଥିବା ଅନୁଗୋଳ ଜିଲ୍ଲାରେ ଏଥର ବଡଧରଣର ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାପଛର କାରଣ ହେଲା ବିଜେଡିରେ ନେତାଙ୍କ ମଧ୍ୟରେ ଥିବା ଅନ୍ତଃକନ୍ଦଳ । ଏହାଛଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଧାନଙ୍କ ଜିଲ୍ଲା ହୋଇଥିବାରୁ ବିଜେପି ଫୋକସରେ ରହିଛି ଅନୁଗୋଳ । ସେହିଭଳି ବିଜେଡି-ବିଜେପି ଲଢେଇ ମଧ୍ୟରେ କଂଗ୍ରେସ ଏଠାରେ ହାତ ଟେକିବାକୁ ଜୋରଦାର ଉଦ୍ୟମ କରୁଛି ।

ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୮ଟି ଜିଲ୍ଲା ପରିଷଦ ଆସନରୁ ୧୬ଟି ଦଖଲ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । କିନ୍ତୁ ଏଥିପାଇଁ ଦଳକୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଏଥର ଅନୁଗୋଳ ଜିଲ୍ଲା ବିଜେଡି ରାଜନୀତିରେ ବଡ ଧରଣର ଅନ୍ତଃକନ୍ଦଳ ଦଳ ପାଇଁ ବୁମେରାଂ ସାଜିପାରେ । ନେତାଙ୍କ ଭିତରେ ଥିବା କନ୍ଦଳ ଏହା ଭିତରେ ଉଗ୍ର ରୂପ ନେଇଛି । ସାଂସଦ-ବିଧାୟକଙ୍କ ମଧ୍ୟରେ ଥିବା କନ୍ଦଳ ଦଳର ଭୋଟବ୍ୟାଙ୍କକୁ ଭୟଙ୍କର ମାତ୍ରାରେ ପ୍ରଭାବିତ କରିପାରେ ବୋଲି କୁହାଯାଉଛି । ଏହାସତ୍ତେ୍ୱ ମଧ୍ୟ ଦଳ ଏଠାରେ ୨୦୧୭ ତୁଳନାରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଯେହେତୁ ଜିଲ୍ଲାର ୫ ଜଣ ବିଧାୟକ ବିଜେଡି ଦଳରୁ ରହିଛନ୍ତି, ତେଣୁ ଅଧିକରୁ ଅଧିକ ଜିଲ୍ଲା ପରିଷଦ ଜୋନ୍ ଭେଟି ଦେଇ ଆଗାମୀ ୨୦୨୪ ବିଧାନସଭା ଟିକେଟ ପକ୍କା କରିବା ଲକ୍ଷ୍ୟରେ ରହିଛନ୍ତି ବିଜେଡି ବିଧାୟକ ।

ଅନ୍ୟପଟେ ବିଜେଡି ମଧ୍ୟରେ ଥିବା ଅନ୍ତଃକନ୍ଦଳର ଫାଇଦା ନେବା ଲକ୍ଷ୍ୟରେ ରହିଛି ବିଜେପି । ଏପରିକି ଚଳିତଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଦଳ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁଗତ କାଳନ୍ଦୀ ସାମଲ ପଞ୍ଚାୟତ ପରୀକ୍ଷାରେ ଦଳକୁ ବିଜୟୀ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ବିଜେପିର ପଞ୍ଚାୟତ ରଣନୀତିକୁ ବଳ ଯୋଗାଇଛି ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କ ଦଳରେ ଯୋଗଦାନ । ଯାହା ବିଜେପିକୁ ପଞ୍ଚାୟତ ଫାଇଟରେ ଗୋଟିଏ ପାଦ ଆଗରେ ରଖିଛି । ଗତ ୨୦୧୭ ନିର୍ବାଚନରେ ଶାସକ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି । ଦଳ ୧୨ ଜିଲ୍ଲା ପରିଷଦ ଆସନ ହାତେଇବା ସହ ଏଠାରେ ନିଜର ଦବଦବା ଜାହିର କରିଥିଲା । ତେଣୁ ଚଳିତ ଥର ମ୍ୟାଜିକ ନମ୍ବର ହାସଲ ଲକ୍ଷ୍ୟରେ ରହିଛି ଦଳ । କିନ୍ତୁ ବିଜେପି ପାଇଁ ଏହି ବାଜି ଜିତିବା ଏତେ ସହଜ ନୁହେଁ । କାରଣ ଗତଥର ଦଳକୁ ଯେଉଁଭଳି ସଫଳତା ମିଳିଥିଲା ସେହି ଦୃଷ୍ଟିରୁ ଅନେକ ଆଶାୟୀ ବିଜେପିରୁ ପ୍ରାର୍ଥୀ ହେବାକୁ ଚାହିଁଥିଲେ । କିନ୍ତୁ ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ଟିକେଟ ଘୋଷଣା ପରେ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିଛି । ଯାହା ବିଜେପିର ଅନୁଗୋଳ ବିଜୟୀ ସ୍ୱପ୍ନକୁ ଅଧାରେ ଅଟକାଇପାରେ ।

ସେହିଭଳି କଙ୍କଡାକୁ ଗୋଳି ପାଣି ସୁହାଇବା ଭଳି ବିଜେଡି-ବିଜେପି ମଧ୍ୟରେ କଡା ଫାଇଟ କଂଗ୍ରେସକୁ ବେଶ ସୁହାଇବ ବୋଲି କୁହାଯାଉଛି । ଗତ ନିର୍ବାଚନରେ ଦଳ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଥିଲା ସତ କିନ୍ତୁ ଏଥର ତ୍ରିମୁଖୀ ଲଢେଇରେ ନିଜକୁ ସାମିଲ କରିଛି କଂଗ୍ରେସ । ନିଜର ପାରମ୍ପରିକ ଭୋଟ ବଳରେ ବିଜେଡି-ବିଜେପି ପାଇଁ ଅଡୁଆ ସୃଷ୍ଟି କରିପାରେ କଂଗ୍ରେସ । ଏହାଛଡା ଅଧିକରୁ ଅଧିକ ଯୁବକଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇ ଯୁବବର୍ଗଙ୍କ ଭୋଟ ହାତେଇବା ଲକ୍ଷ୍ୟରେ ରହିଛି ଦଳ । ଆଉ ଏହାର ମଙ୍ଗ ଧରିଛନ୍ତି ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପୁଅ ବିପ୍ଲବ ଜେନା ।

ଏସବୁ ଭିତରେ ଜିଲ୍ଲା ପରିଷଦ ନିର୍ବାଚନ ଆରମ୍ଭ ହେବା ପରଠାରୁ ଅନୁଗୋଳକୁ ବିଜେଡି ନିଜର ଗଡ କରିଛି । କେବଳ ୨୦୦୭ରେ ଏହି ଗଡକୁ ଅକ୍ତିଆର କରିଥିଲା କଂଗ୍ରେସ । କିନ୍ତୁ ୨୦୧୨ରେ ପୁରୁଣା ସଫଳତା ଦୋହରାଇ ବିଜେଡି ପୁଣିଥରେ ବିଜୟୀ ଟିକା ପିନ୍ଧିଥିଲା । କିନ୍ତୁ ୨୦୧୭ରେ ସ୍ଥିତିରେ ଯେଉଁ ପରିବର୍ତ୍ତନ ଦେଖା ଦେଇଥିଲା ତାହା ବିଜେଡି ପାଇଁ ସତର୍କଘଣ୍ଟି ବଜାଇଥିଲା । କାରଣ ଅଧିକାଂଶ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ଅଳ୍ପ ଭୋଟରେ ବିଜୟୀ ହୋଇଥିଲେ । ଆଉ ଏବେ ୨୦୨୨ ନିର୍ବାଚନ ସାମ୍ନା କରିବାକୁ ଯାଉଛି ଦଳ । ଦଳ ଭିତରେ ଅନ୍ତଃକନ୍ଦଳ ଏବେ ଅନେକ ପ୍ରଶ୍ନବାଚୀ ଛିଡା କରିଛି । ପୂର୍ବ ସଫଳତା ଦୋହରାଇ ପାରିବ କି ବିଜେଡି? ନା ଅନ୍ତଃକନ୍ଦଳ ଦଳ ପାଇଁ କାଳ ହେବ । ସେହିଭଳି ବିଜେଡିର ଅନ୍ତଃକନ୍ଦଳ ବିଜେପି ପାଇଁ ସୁଯୋଗ ସୃଷ୍ଟି କରିଛି, ଏହାର ଫାଇଦା ନେଇପାରିବ ତ ଦଳ? କଂଗ୍ରେସ ମଧ୍ୟ କମବ୍ୟାକ କରିବାକୁ ସୁଯୋଗ ରହିଛି, କିନ୍ତୁ ଭୋଟରଙ୍କ ଭରସା ଜିତିପାରିବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିବ  ।