ଧାରଣାରେ ବସିଲେ ମୋଦିଙ୍କ ଭାଇ । ରାସନ ଡିଲର ମହାସଂଘର ଦାବି ନେଇ ଜନ୍ତରମନ୍ତରରେ ପ୍ରତିବାଦ । ପଶ୍ଚିମବଙ୍ଗ ମଡେଲ ଆପଣାଇବାକୁ ଦାବି ।

208

କନକ ବ୍ୟୁରୋ: ସାରା ଦେଶରେ ଏବେ ମହଙ୍ଗା ମାଡ ଅସହ୍ୟ ହେଲାଣି । ଏହି ସମୟରେ ମହଙ୍ଗା ମାଡ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦୀ । ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ସାମିଲ ହୋଇ କେନ୍ଦ୍ର ଉପରେ ବର୍ଷିଛନ୍ତି ପ୍ରହ୍ଲାଦ । ସେ କହିଛନ୍ତି, ଦରଦାମ ଯେଉଁଭଳି ବଢୁଛି, ସେଥିରେ ରାସନ ଦୋକାନୀମାନେ ଚଳିବା କଷ୍ଟକର । ତେଣୁ ପଶ୍ଚିମବଙ୍ଗ ମଡେଲ୍ ଲାଗୁ କରାଯାଉ ଆଉ ଏହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

ସାରାଦେଶରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାକୁ ବିଜେପି ନେତାମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି, ସେତିକିବେଳେ ତାଙ୍କ ନିଜ ଭାଇ ପ୍ରହ୍ଲାଦ ମୋଦି କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହା ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

  • ଦିଲ୍ଲୀରେ ଧାରଣା ଦେଲେ ମୋଦିଙ୍କ ଭାଇ
  • ରାସନ ବଣ୍ଟନରେ ପଶ୍ଚିମବଙ୍ଗ ମଡେଲ ଲାଗୁ ଦାବି

ସର୍ବଭାରତୀୟ ଖାଉଟି ସାମଗ୍ରୀ ବଣ୍ଟନ ଡିଲର ମହାସଂଘ ପକ୍ଷରୁ ଜନ୍ତରମନ୍ତରଠାରେ ଆୟୋଜିତ ଧାରଣାରେ ସାମିଲ ହୋଇ କେନ୍ଦ୍ର ଉପରେ ବର୍ଷିଛନ୍ତି ପ୍ରହ୍ଲାଦ । ସେ କହିଛନ୍ତି ରାସନ ଡିଲରଙ୍କୁ ଯେଉଁ କମିସନ ଦିଆଯାଉଛି ତାହା ବହୁତ କମ୍ । କିଲୋଗ୍ରାମ ପ୍ରତି କମିଶନ ମାତ୍ର ୨୦ ପଇସା ବୃଦ୍ଧି କରାଯାଇଛି । ଯାହାକି ପରିହାସ ସଦୃଶ । ଏବେ ଦରଦାମ ଯେଉଁଭଳି ବଢୁଛି, ସେଥିରେ ରାସନ ଦୋକାନୀମାନେ ଚଳିବା କଷ୍ଟକର । ତେଣୁ ପଶ୍ଚିମବଙ୍ଗ ମଡେଲ୍ ଲାଗୁ କରାଯାଉ ।

ନଜର ପକାନ୍ତୁ କଣ ରହିଛି ପଶ୍ଚିମବଙ୍ଗ ରାସନ ମଡେଲ..

– ପଶ୍ଚିମବଙ୍ଗର ରାସନ ମଡେଲରେ ରହିଛି ମାଗଣା ବଣ୍ଟନ ବ୍ୟବସ୍ଥା
– ରାଜ୍ୟର ହିତାଧିକାରୀଙ୍କ ଘରେ ରାସନ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ମମତା ସରକାର
– କିଲୋ ପିଛା ରାସନ ସାମଗ୍ରୀ ବିକ୍ରେତାଙ୍କୁ କମିଶନ ବାବଦକୁ ମିଳୁଛି ୯୦ ପଇସା
-ରାସନ ସାମଗ୍ରୀ ସହ ଡାଲି, ଖାଇବା ତେଲ, ସିଲିଣ୍ଡର ଯୋଗାଉଛନ୍ତି ଡିଲର
– ୨୧ ହଜାର ରାସନ ଡିଲରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି

ଦରଦାମ ବୃଦ୍ଧି, ବେରୋଜଗାରୀ ଭଳି ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ ଜାରି ରଖିଛି । ଦିଲ୍ଳୀରେ ପ୍ରତିବାଦ ଜାରି ଥିବାବେଳେ ଆଗାମୀ ଦିନରେ ଓଡିଶାରେ ପ୍ରତିବାଦ କରିବାକୁ ଯୋଜନା କରିଛି ରାଜ୍ୟ କଂଗ୍ରେସ । ୫ ତାରିଖରେ ଭୁବନେଶ୍ୱରର ରାଜଭବନ ଓ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଘୋଷଣା କରିଛି । ଅନ୍ୟପଟେ ବିଜେପି କହିଛି ନାଟକବାଜୀ କରୁଛି କଂଗ୍ରେସ ।

ପ୍ରହ୍ଲାଦ ମୋଦି ସର୍ବଭାରତୀୟ ରାସନ ଡିଲର ମହାସଂଘର ଉପ ସଭାପତି ଅଛନ୍ତି । ଏଥିସହ ସେ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ବିରୋଧୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ ।