ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଲେ ପୁରୀ ଜିଲ୍ଲାପାଳ । ରିପୋର୍ଟ ଦାଖଲ କଲେ ଦେଉଳ କମାଣ୍ଡର ।

136

କନକ ବ୍ୟୁରୋ: ଶ୍ରୀମନ୍ଦିରର ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଖସିଲା ପ୍ଲାଷ୍ଟର । ବଡ ଠାକୁରଙ୍କ ପଛପାଶ୍ୱ୍ୱର୍ କାନ୍ଥରୁ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଲାଇମ ପ୍ଲାଷ୍ଟର ଖଣ୍ଡ ଖସି ପଡିଛି । ତେବେ ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ଅଛି । ପ୍ରଥମେ ଏହାକୁ ପଥର ବୋଲି କୁହାଯାଇଥିଲା । କିନ୍ତୁ ଏହା ପଥର ନୁହେଁ ଲାଇମ ପ୍ଲାଷ୍ଟର ବୋଲି ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେଇଛନ୍ତି । ଏ ନେଇ ଏଏସଆଇକୁ ରିପୋର୍ଟ ତଲବ କରାଯାଇଛି । ଆଉ ଗର୍ଭଗୃହରୁ ପ୍ଲାଷ୍ଟର ଖସିବା ଏଏସଆଇର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପଥର!
  • ଜିଲ୍ଲାପାଳ କହିଲେ, ପଥର ନୁହେଁ ପ୍ଲାଷ୍ଟର
  • ବଳଭଦ୍ରଙ୍କ ପଛରେ ପଡିଲା, ଶ୍ରୀଅଙ୍ଗ ସୁରକ୍ଷିତ

ଶ୍ରୀମନ୍ଦିର ଗର୍ଭଗୃହ ରତ୍ନସିଂହାସନ ପାଖରେ ଖସିଛି ପ୍ଲାଷ୍ଟର । ବଡଠାକୁରଙ୍କ ପଛପାର୍ଶ୍ୱ କାନ୍ଥରୁ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଥିଲା । ମଙ୍ଗଳବାର ଦିନ ସକାଳଧୂପ ପରେ ବଡ ଠାକୁରଙ୍କ ବିଗ୍ରହ ପଛପଟେ ପ୍ଲାଷ୍ଟର ଖଣ୍ଡକୁ ଠାବ କରାଯାଇ ଗାରଦରେ ଜିମା ଦିଆଯାଇଛି । ତେବେ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗିନାହିଁ । ଶ୍ରୀଅଙ୍ଗ ସୁରକ୍ଷିତ ଅଛି । ପ୍ରଥମେ ଏହା ପଥର ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ଏହା ପଥର ନୁହେଁ ଲାଇମ ପ୍ଲାଷ୍ଟର ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଏ ନେଇ ଏଏସଆଇକୁ ରିପୋର୍ଟ ଦେବାକୁ କୁହାଯାଇଛି । ଶ୍ରୀମନ୍ଦିର କମାଣ୍ଡର ବି ରିପୋର୍ଟ ଦେଇଛନ୍ତି ।

ରଥଯାତ୍ରା ସମୟରେ ଏଏସଆଇ ଓ ବିଶେଷଜ୍ଞ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । କଳାହାଟ ଦ୍ୱାରକୁ ରୂପା ଛାଉଣୀ କରାଯିବା ଯୋଗୁଁ ଗର୍ଭଗୃହର ମରାମତି ସଠିକ ଭାବେ ହୋଇନଥିବା କୁହାଯାଇଛି । ଆଉ ରତ୍ନବେଦୀରେ ତରବରିଆ କାମ ଯୋଗୁଁ ପ୍ଲାଷ୍ଟର ଖସିଥାଇପାରେ ବୋଲି ଆଶଙ୍କା କରାଯାଉଛି ।

  • ଗର୍ଭଗୃହରୁ କେମିତି ଖସିଲା ପ୍ଲାଷ୍ଟର?
  • ଏଏସଆଇର କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ପ୍ରଶ୍ନ

ଗର୍ଭଗୃହରେ ଯେଉଁ ପ୍ଲାଷ୍ଟର ଖଣ୍ଡ ବାହାରିଛି ସେଥିରୁ କେମିକାଲ ଗନ୍ଧ ବାହାରୁଛି । ଆଦ୍ରତା ଯୋଗୁଁ କାନ୍ଥ ଓଦାଳିଆ ରହୁଛି । ଫଳରେ ମରାମତି ସମୟରେ ଯେଉଁ ପ୍ୟାକିଂ ଦିଆଯାଉଛି ତାହା ଅନେକ ସମୟରେ ଖସିପଡୁଛି । ଏବେ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

-ସାଧାରଣତଃ ଶ୍ରୀମନ୍ଦିର ଗର୍ଭଗୃହରେ ଚୂନ ଲଗାଯାଏ ନାହିଁ
-ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ ପଥରରେ ନିର୍ମିତ
-ପ୍ରଥମ ମହଲାରେ କେବଳ ବଡ ବଡ ପଥର ଯୋଡେଇ ହୋଇଛି
-ପ୍ରଥମ ମହଲାର ଛାତରେ ଲୁହା ଚଦର ପ୍ୟାକିଂ ରହିଛି

ବର୍ତ୍ତମାନ ରତ୍ନ ସିଂହାସନରେ ତିନିଠାକୁର ବିଜେ ହୋଇଥିବାରୁ କୌଣସି ମରାମତି ଓ ରକ୍ଷଣାବେକ୍ଷଣ କାମ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା କରାଯାଇଛି ।