ରିଷି ସୁନକଙ୍କ ସହ ଫୋନରେ କଥା ହେଲେ ନରେନ୍ଦ୍ର ମୋଦୀ : ମୁକ୍ତ ବାଣିଜ୍ୟ ରାଜିନାମା ନେଇ ହେଲା ଆଲୋଚନା, ସମ୍ପର୍କ ମଜଭୁତ କରିବାକୁ ଉଭୟ ନେତା ରାଜି

70

କନକ ବ୍ୟୁରୋ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ । କଥାବାର୍ତ୍ତାବେଳେ ଉଭୟ ନେତା ଦୁଇଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ବିଷୟରେ କଥାବାର୍ତ୍ତା ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ବି ଉଭୟ ନେତା ରାଜି ହୋଇଛନ୍ତି । ନିଜ ଟ୍ୱିଟରେ ନରେନ୍ଦ୍ର ମୋଦୀ କହିଛନ୍ତି, ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାକୁ ରିଷି ସୁନକଙ୍କୁ ଅଭିନନ୍ଦନ ।

ଦୁଇଦେଶ ନିଜର ରଣନୀତିକ ଭାଗିଦାରୀକୁ ଆହୁକି ମଜଭୁତ କରିବା ପାଇଁ ମିଳିତ ଭାବେ କାମ କରିବେ । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଜବାବରେ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ରିଷି ସୁନକ । ସେ ଟ୍ୱିଟ କରି କହିଛନ୍ତି, ବ୍ରିଟେନ ଓ ଭାରତ ବହୁ କ୍ଷେତ୍ରରେ ଅଂଶୀଦାର ଅଛନ୍ତି । ଦୁଇଦେଶ ଆର୍ଥିକ ଓ ସୁରକ୍ଷା ସମ୍ପର୍କକୁ ମଜଭୁତ କରିବାରେ ଲାଗିଛନ୍ତି । ଆଗକୁ ଦୁଇଟି ବଡ ଗଣତାନ୍ତ୍ରିକ ଦେଶ କଣ କରିପାରିବେ ସେ ନେଇ ଉତ୍ସାହିତ ଅଛନ୍ତି ।

ଭାରତ-ବ୍ରିଟେନ ମଧ୍ୟରେ ଗତ ଜାନୁଆରୀରେ ମୁକ୍ତ ବାଣିଜ୍ୟ ରାଜିନାମା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହି କଥାବାର୍ତ୍ତା ଦିପାବଳିରେ ଶେଷ ହେବାର ଥିଲା । କିନ୍ତୁ ଦୁଇଦେଶ ମଧ୍ୟରେ ସହମତି ହୋଇନପାରିବାରୁ କଥାବାର୍ତ୍ତା ଆଗକୁ ବଢିପାରିନାହିଁ । ମଙ୍ଗଳବାର ଦିନ ପ୍ରଥମ ଭାରତୀୟ ବଂଶୋଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ରିଷି ସୁନକ । ଏହାକୁ ନେଇ ଭାରତରେ ଚର୍ଚ୍ଚା ଜାରି ରହିଛି । ଏହା ପରେ ମୁକ୍ତ ବାଣିଜ୍ୟ ରାଜିନାମା ନେଇ କଥାବାର୍ତ୍ତା ଆଗକୁ ବଢିବ ବୋଲି ଆଶା କରାଯାଉଛି ।