ହିମାଚଳ ପ୍ରଦେଶରେ ମୋଦିଙ୍କ ପ୍ରଥମ ରାଲି ! କହିଲେ, ଦେବଭୂମିକୁ ରାକ୍ଷସ କବଳରୁ ମୁକ୍ତି କରିବାର ସମୟ ଆସିଛି

38

କନକ ବ୍ୟୁରୋ : ଆଗାମୀ ୯ ତାରିଖରେ ହେବ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିମାଚଳ ପ୍ରଦେଶରେ ଏକ ରାଲି କରିଛନ୍ତି । ସେ କହିଛନ୍ତି, ୯ ତାରିଖରେ ଜନତା ବଟନ ଦବାଇ ନିଜ ମନପସନ୍ଦର ସରକାର ବାଛିବେ । ଆଜି ପର୍ଯ୍ୟନ୍ତ ଯିଏ ହିମାଚଳ ପ୍ରଦେଶକୁ ଲୁଟିଛି ତାଙ୍କୁ ବିଦାୟ ଦେବାର ସମୟ ଆସିଯାଇଛି ବୋଲି ମୋଦି କହିଛନ୍ତି । କାଙ୍ଗଡ଼ା ଜିଲ୍ଲାର ଫତେପୁର ବିଧାନସଭା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆଜି ତାଙ୍କର ପ୍ରଥମ ରାଲି କରିଛନ୍ତି ।

ରାଜ୍ୟରେ ବିଜେପି ଶାସନକୁ ଆସିଲେ ରାଜ୍ୟର ଭାଗ୍ୟ ବଦଳିବ ବୋଲି କହିଛନ୍ତି ମୋଦି । ରାଲିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଛନ୍ତି । ଏଥିରୁ ଜଣାପଠୁଛି ଲୋକେ ବିଜେପିକୁ ସମର୍ଥନ କରୁଛନ୍ତି । ଏହା ବ୍ୟତୀତ ସେ ରାଲିରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଚଳିତ ନିର୍ବାଚନରେ କଂଗ୍ରେସ ଦଳର ଯେଉଁ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି ତାଙ୍କ ନାଁରେ ରହିଛି ଅନେକ ଭ୍ରଷ୍ଟାଚାର ମାମଲା । ମୋଦି କହିଛନ୍ତି ଦେବତା ମାନେ ଯେବେ ବି ଶୁଭ କାମ କରନ୍ତି ରାକ୍ଷସ ତାଙ୍କ କାମରେ ବିଘ୍ନ ଘଟାନ୍ତି । ଏହାସହ କହିଛନ୍ତି ଦେବଭୂମି ହିମାଚଳରୁ ଏବେ ରାକ୍ଷସ ବଳରୁ ମୁକ୍ତି କରିବାର ସମୟ ଆସିଯାଇଛି ।

କଂଗ୍ରେସ ପୁଣି ଥରେ ଶାସନକୁ ଆସିଲେ ଦେଶର କିଛି ବିକାଶ ହେବ ନାହିଁ ଏକଥା ଜନତା ଜାଣନ୍ତି । ଏପରିସ୍ଥଳେ ଜନତା କଂଗ୍ରେସକୁ କାହିଁକି ଭୋଟ୍ ଦେଇ ଦେଶକୁ ଦଣ୍ଡ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶରେ ଆଜି ହୋଇଥିବା ନିର୍ବାଚନୀ ରାଲିରେ ଏହି ସବୁ କଥା କହିଛନ୍ତି । ସୂଚନାଯୋଗ୍ୟ ଆଗାମୀ ୯ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରେମକୁମାର ଧୁମାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୭୩ ବର୍ଷୀୟ ଧୁମାଲଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢ଼ିବ ।