କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ୭୦ ହଜାର ନିଯୁକ୍ତି ପତ୍ର । କହିଲେ, ଯୁବକଙ୍କ ରୋଜଗାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

130

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର । ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ହଜାର ଯୁବବର୍ଗଙ୍କୁ ଏହି ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୋଦୀ । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜିତ ହୋଇଛି । ନିଯୁକ୍ତି ପତ୍ର ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ ବିଭାଗ, ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗରେ ଯୋଗ ଦେବେ । ଏହା ସହ ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଜଳ ବିଶୋଧନାଗାର ବିଭାଗ ଓ ଗୃହ ମନ୍ତ୍ରାଳୟ ସମେତ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ସରକାରରେ ସାମିଲ ହେବେ ନବ ନିଯୁକ୍ତ ଯୁବବର୍ଗ । ଏହା ଦେଶ ପାଇଁ ଏହା ଏକ ଐତିହାସିକ ଦିବସ ବୋଲି କହିଛନ୍ତି ମୋଦୀ ।

ବ୍ୟାଙ୍କିଙ୍ଗ କ୍ଷେତ୍ରରେ  ଘଟୁଥିବା ବିକାଶକୁ  ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି । କହିଛନ୍ତି, ଆଜି ଭାରତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦୁନିଆର ଅନ୍ୟତମ ସୁଦୃଢ଼ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି । କିନ୍ତୁ ୯ ବର୍ଷ ପୂର୍ବେ ଏପରିସ୍ଥିତି ନଥିଲା । ପୂର୍ବ ସରକାରଙ୍କ ଅମଳରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସେ କହିଛନ୍ତି । ଅନ୍ୟପଟେ ରୋଜଗାର ମେଳା ୧୦ ଲକ୍ଷ ନିଯୁକ୍ତି ଦେବାର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ଅଂଶ  ବୋଲି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ।

ଗତ ବର୍ଷ ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହୋଇଥିବା ରୋଜଗାର ମେଳା ମାଧ୍ୟମରେ ମୋଦୀ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୦ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ପାଖାପାଖି ୫ଲକ୍ଷ ନିଯୁକ୍ତି ଦେଇସାରିଛନ୍ତି ।