୨୦୨୪ ନିର୍ବାଚନରେ ମହିଳା କାର୍ଡ ଖେଳିବ ବିଜେଡି । ଏକ-ତୃତୀୟାଂଶ ଆସନରେ ମହିଳାଙ୍କୁ ଦେଇପାରେ ଟିକେଟ୍ । ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ନବୀନଙ୍କ ସଂକେତ ।

261

କନକ ବ୍ୟୁରୋ: ବିଜେଡି ଫୋକସରେ ମହିଳା । ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଆସୁଥିବା ବିଜେଡି ଆଗାମୀ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେଇପାରେ । ଆଜି ଦଳୀୟ କାର୍ଯ୍ୟାଳୟରେ ବସିଥିବା ମହିଳା କାର୍ଯ୍ୟକାରିଣୀ ବୈଠକରେ ଏନେଇ ସଂକେତ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଛନ୍ତି, ବିଧାନସଭାରେ ଓ ଲୋକସଭାକୁ କେମିତି ଅଧିକରୁ ଅଧିକ ମହିଳା ପ୍ରତିନିଧିତ୍ୱ କରିବେ ତା ଉପରେ ଗୁରୁତ୍ୱ ଦେଉଛି ଦଳ । ବିଜୁ ମହିଳା ଜନତା ଦଳ ମହିଳା କାର୍ଯ୍ୟକାରିଣୀରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇ ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହା ପ୍ରଗତିର ମନ୍ତ୍ର ।

  • ୨୦୨୪ ନିର୍ବାଚନରେ ମହିଳା କାର୍ଡ ଖେଳିବ ବିଜେଡି
  • ଏକ-ତୃତୀୟାଂଶ ଆସନରେ ମହିଳାଙ୍କୁ ଦେଇପାରେ ଟିକେଟ୍
  • ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ନବୀନଙ୍କ ସଂକେତ

୨୦୧୯ ନିର୍ବାଚନରେ ସଂସଦୀୟ କ୍ଷେତ୍ରରେ ମହିଳାଙ୍କୁ ୩୩ ପ୍ରତିଶତ ଆସନରେ ଟିକେଟ୍ ଦେଇ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ବାରମ୍ବାର ଦାବି କରି ଆସୁଛି ବିଜେଡି । ଆଜି ଥିଲା ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇ ନବୀନ କହିଛନ୍ତି, ମହିଳାମାନେ ପଞ୍ଚାୟତକୁ ସଂସଦ ପର୍ଯ୍ୟନ୍ତ ନେତୃତ୍ୱ ନିଅନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି, ତୃଣମୂଳ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି । କିନ୍ତୁ ସେହି ଅନୁପାତରେ ବିଧାନସଭା ଓ ସଂସଦରେ ପ୍ରତିନିଧିତ୍ୱ ବଢ଼ିନାହିଁ । ତେଣୁ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ବିଜେଡି ସ୍ୱର ଉଠାଇବ ।

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ୫୦ ପ୍ରତିଶତରୁ ଉଦ୍ଧ୍ୱର୍ ଆସନରେ ଦଳୀୟ ଟିକେଟ୍ ଦେଇଥିଲା ବିଜେଡି । ମହିଳା ନେତୃତ୍ୱକୁ କ୍ରମାଗତ ଭାବେ ଗୁରୁତ୍ୱ ଦେଇ ଆସୁଛନ୍ତି ନବୀନ । ଏପରିକି ୨୦୧୯ ପରେ ହୋଇଥିବା ୮ଟି ଉପନିର୍ବାଚନରେ ୫ଟି ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ । ତେଣୁ ଆସନ୍ତା ନିର୍ବାଚନରେ ମହିଳା ନେତୃତ୍ୱକୁ ଆଗକୁ ଆଣିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ କହିଛନ୍ତି, ଏ ନେଇ ନିଷ୍ପତି ନେବେ ନବୀନ । ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ।

୨୦୧୯ରେ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୭ଟି ସ୍ଥାନରେ ମହିଳାଙ୍କୁ ଟିକେଟ୍ ଦେଇ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିଲା ବିଜେଡି । କିନ୍ତୁ ବିଧାନସଭାରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ଟିକେଟ୍ ଦେଇନଥିଲା ଦଳ । ୧୪୭ ଆସନରୁ ମାତ୍ର ୧୯ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ ।