ଚିକାଗୋ ଭାଷଣର ୧୨୫ବର୍ଷ ପୂର୍ତ୍ତୀ ! ପାନଛେପ ପକାଉଥିବା ଲୋକର ବନ୍ଦେ ମାତରମ୍ କହିବାର ଅଧିକାର ନାହିଁ

102

କନକ ବ୍ୟୁରୋ : ସ୍ୱାମୀ ବିବେକାନନ୍ଦ ଚିକାଗୋରେ ଦେଇଥିବା ଭାଷଣକୁ ଆଜି ୧୨୫ ବର୍ଷ ପୁରିଛି । ଏହାସହ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଶତବାର୍ଷିକୀ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ସ୍ୱାମୀଜି ସାରା ବିଶ୍ୱକୁ ଭଲ ରାସ୍ତା ଦେଖାଉଥିଲେ । ସେହି ରାସ୍ତାରେ ସମସ୍ତଙ୍କୁ ଯିବା ଦରକାର ।

ଏହି ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ପୁଣି ଜୋର ଦେଇଛନ୍ତି ମୋଦି । ପାନ ଖାଇ ଛେପ ପକାଉଥିବା ବ୍ୟକ୍ତିିକୁ ବନ୍ଦେ ମା ତରମ୍ କହିବାର କୌଣସି ଅଧିକାର ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିି । ସେ କହିଛନ୍ତି ଯିଏ ସଫେଇ କରୁଛି କେବଳ ସେ ହିଁ ବନ୍ଦେ ମା ତରମ୍ କହିପାରିବ । ଏହାସହ ମୋଦି କହିଛନ୍ତି ଯେତେବେଳେ ମୁଁ ପ୍ରଥମେ ଶୌଚାଳୟ ଓ ପରେ ଦେବାଳୟ ବୋଲି ନାରା ଦେଇଥିଲି ଲୋକେ ମୋ ଉପରେ ଗର୍ଜିବା ଆରମ୍ଭ କରିଦେଇଥିଲେ ।

ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମ୍ମିଳନୀର ଥିମ୍ ରହିଥିଲା ୟଙ୍ଗ୍ ଇଣ୍ଡିଆ, ନ୍ୟୁ ଇଣ୍ଡିଆ । ତେବେ ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି, ଏହି ସମ୍ମିଳନୀ ଏମିତି ଗୋଟିଏ ଦିନରେ କରାଯାଉଛି, ୧୮୯୩ରେ ଯେଉଁଦିନ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ମହତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର କିଛି କିୟଦଂଶ :

• ପ୍ରଧାନମନ୍ତ୍ରୀ କହିଛନ୍ତିି ଆଜି ହେଉଛି ସେପ୍ଟେମ୍ବର ୧୧ । ୨୦୦୧ପୂର୍ବରୁ ଦୁନିଆକୁ ୯/୧୧ର ମହତ୍ୱ ସଂପର୍କରେ ଜଣାନଥିଲା । ଦୋଷ ଦୁନିଆର ନଥିଲା । ଦୋଷ ଆମର ଥିଲା ଆମେ ହିଁ ତାହାକୁ ଭୁଲି ଯାଇଥିଲୁ । ଆଉଯଦି ଆମେ ଭୁଲି ନଥାନ୍ତେ ତେବେ ଏଳବିଂଶ ଶତାବ୍ଦୀର ୧୧ ସେପ୍ଟେମ୍ବର ହୋଇ ନଥାନ୍ତା ।

• ଆଜିର ଦିନରେ ଏହି ଦେଶର ଜଣେ ଯୁବକ ନିଜର ଭାଷଣ ମାଧ୍ୟମରେ ସାରା ବିଶ୍ୱକୁ ହଲାଇ ଦେଇଥିଲା । ପରାଧୀନତାର ୧୦୦୦ ବର୍ଷ ପରେ ବି ତା ଭିତରେ ସେହି ଜ୍ୱାଳା ଓ ବିଶ୍ୱାସ ଥିଲା ଯେ, ଭାରତ ପାଖରେ ଏମିତି ସାମର୍ଥ୍ୟ ରହିଛି ଯାହା ସାରା ଦୁନିଆକୁ ସନ୍ଦେଶ ଦେଇପାରିବ ।

• ମୋଦି କହିଛନ୍ତି ଏହି ଭାଷଣ ପୂର୍ବରୁ ଲୋକେ କେବଳ ଲେଡିଜ୍ ଆଣ୍ଡ ଜେଣ୍ଟିଲମ୍ୟାନ ବ୍ୟତୀତ ଆଉ କିଛି ଶବ୍ଦ ଜାଣୁନଥିଲେ । ବ୍ରଦର୍ସ ଓ ଶିଷ୍ଟର୍ସ କହିବା ପରେ ୨ ମିନିଟ ଯାଏ କେବଳ ତାଳି ହିଁ ବାଜୁଥିଲା । ହେଲେ ସ୍ୱାମୀ ନିଜ ଭାଷଣ ମାଧ୍ୟମରେ ସାରା ବିଶ୍ୱକୁ ନିଜର କରିପାରିଥିଲେ ।

• ଡାକ୍ତରଖାନା ଓ ଡାକ୍ତରଙ୍କ ପାଇଁ ଆମେ ସୁସ୍ଥ ନୁହଁନ୍ତି ବରଂ ସଫେଇ କରୁଥିବା ଲୋକଙ୍କ ପାଇଁ ସୁସ୍ଥ ରହିପାରୁଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

• କଣ ଖାଇବା ଓ କଣ ନ ଖାଇବା ତାହା ଆମ ପରମ୍ପରା ନୁହେଁ ତାହା ଆମ ବ୍ୟବସ୍ଥା ବୋଲି ମୋଦି କହିଛନ୍ତିି । ସାରା ଦେଶରେ ଗୋମାଂସ ଭକ୍ଷଣକୁ ନେଇ ବିବାଦ ଉପୁଜିଥିବା ବେଳେ ଏହି ପ୍ରତିକ୍ରିୟା ଦେଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ।

• କେବେ ଯଦି ଆମେ କେଉଁ ସ୍ୱଚ୍ଛ ସ୍ଥାନ ଦେଖୁଛେ , ତେବେ ପ୍ରଥମେ ଆମ ମନକୁ ଆସୁଛି ଏହା ଆମ ଭାରତ ନୁହେଁ ।

• ଦେଶରେ ଭିକ୍ଷାବୃତି କରୁଥିବା ଲୋକ ପାଖରେ ବି ତତ୍ୱଜ୍ଞାନ ରହିଛି କିନ୍ତୁ ସ୍ୱାମୀଜିଙ୍କ ପାଖରେ ଆତ୍ମସମ୍ମାନ ଥିଲା ।

• ମୋଦି ମେକ୍ ଇନ୍ ଇଣ୍ଡିଆକୁ ନେଇ କହିଛନ୍ତି, ଆଜିକାଲି ଲୋକେ ମେକ୍ ଇନ୍ ଇଣ୍ଡିଆକୁ ବିରୋଧ କରୁଛନ୍ତି କିନ୍ତୁ ବିବେକାନନ୍ଦ ଓ ଜାମସେଦଙ୍କ ମଧ୍ୟରେ ଭାରତରେ ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଖବର ପ୍ରକାଶ ପାଇଥିଲା ।

• କଣ ଆମେ ଆଜି ନାରୀଙ୍କୁ ସମ୍ମାନ ଦେଉଛେ । କଣ ଆମେ ଝିଅଙ୍କୁ ଆଦର କରୁଛେ । ଯିଏ ନାରୀ ଭିତରେ ଥିବା ମଣିଷକୁ ଦେଖିପାରୁନି, ସ୍ୱାମୀଙ୍କ ଭାଷଣ ଉପରେ ତାଳି ମାରିବାର ଅଧିକାର ତାର ନାହିଁ ବୋଲି କହିଛନ୍ତି ମୋଦି । ଯେବେ ରବିନ୍ଦ୍ର ନାଥ ଟାଗୋର ଓ ସ୍ୱାମୀ ବିବେକାନନ୍ଦଙ୍କୁ ନୋବେଲ ପୁରସ୍କାର ମିଳିଥିଲା, ସେତେବେଳେ ସାରା ବିଶ୍ୱରେ ପରାଧୀନ ଭାରତର ଚର୍ଚ୍ଚା ହୋଇଥିଲା ।

• ମୋଦି ଆହୁରି ମଧ୍ୟ କହିଛନ୍ତି, ସ୍ୱାମୀଜି ଆଇଡିଆକୁ ଆଇଡୋଲିଜିମରେ ପରିବର୍ତ୍ତନ କରୁଥିଲେ । ସେ ରାମକୃଷ୍ଣ ମିଶନକୁ ଜନ୍ମ ଦେଇଥିଲେ କିନ୍ତୁ ବିବେକାନନ୍ଦ ମିଶନର ପରିକଳ୍ପନା କରିନଥିଲେ ।

• ମୋଦି କହିଛନ୍ତି କେଉଁ ଭାଷଣର ୧୨୫ ବର୍ଷ ପୂର୍ତ୍ତୀ ପାଳନ ନେଇ ଭାବିଛନ୍ତି । କିନ୍ତୁ ଯେତେବେଳେ ଏହି ଭାଷଣର ଶତାବ୍ଦୀ ପାଳନ କରାଯାଉଛି, ସେତେବେଳେ ସେ ଚିକାଗୋରେ ଥିଲେ । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ଦେ ମା ତରମ୍ ଶୁଣିଲେ ରୋମ ଟାଙ୍କୁରି ଯାଏ କିନ୍ତୁ ବନ୍ଦେ ମା ତରମ୍ ଗାଇବାର ଅଧିକାର କଣ ଆମର ଅଛି । ଏକଥା ଶୁଣି ଅନେକଙ୍କୁ ଖରାପ ଲାଗିପାରେ ।

• ମୋଦି କହିଛନ୍ତି, ଲୋକ ପାନ ଖାଇ ଭାରତ ମା ଉପରେ ଛେପ ପକାନ୍ତି ଆଉ ସେହି ମୁହଁରେ ବନ୍ଦେ ମା ତରମ୍ ଗାଆନ୍ତି ।

• ଛୁଆଁଛୁତିକୁ ସ୍ୱାମୀ ବିବେକାନନ୍ଦ ପାଗଳାମୀ ବୋଲି କହୁଥିଲେ ବୋଲି ସେ କହିଛନ୍ତି ।

• ଯେତେଦିନ ଯାଏଁ ଆମେ ଆମ ରାଜ୍ୟ ଓ ଭାଷା ପ୍ରତି ସମ୍ମାନ ଜଣାଇନେ ସେତେଦିନ ଯାଏଁ କିଛି ବି ହେବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ମୋଦି ଶେଷରେ କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ମୁଁ ଦେଶର ଯୁବକଙ୍କ ସ୍ୱପ୍ନ ପୁରଣ ପାଇଁ ଚେଷ୍ଟା କରୁଛି । ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ଓ ୟୁନିଭରିସିଟିର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।