ଇଞ୍ଜିନିୟରିଂ କଲେଜକୁ ବଞ୍ଚାଇବାକୁ ବାଟ ବାହାର କଲା ଏଆଇସିଟିଇ ! ଫାଙ୍କା ପଡୁଥିବା କଲେଜକୁ ମିଶାଇବାକୁ ଉଦ୍ୟମ

142

କନକ ବ୍ୟୁରୋ : ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଧୀରେ ଧୀରେ ପିଲାଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । ଏଣୁ ରାଜ୍ୟ ତଥା ଦେଶରେ ଅନେକ ଇଞ୍ଜିନିୟରିଂ କଲେଜରେ ଅଧିକାଂଶ ସିଟ୍ ଫାଙ୍କା ପଡୁଛି । ଏପରିକି ଅଧିକାଂଶ ଇଞ୍ଜିନିୟରିଂ କଲେଜରେ ଏବେ ତାଲା ଝୁଲି ସାରିଲାଣି । ତା ଛଡା ଆଉ କିଛି ଇଞ୍ଜିନିୟରିଂ କଲେଜ ଏବେ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ୩୦ ପ୍ରତିଶତ ସିଟରେ ମଧ୍ୟ ଆଡମିଶନ ହେଉ ନଥିବା ୮୦୦ ଇଞ୍ଜିନିୟରିଂ କଲେଜକୁ ଚିହ୍ନଟ କରିଥିଲା । ତା ସହିତ ଏହି ସବୁ କଲେଜକୁ ବନ୍ଦ କରିବାକୁ ଇଙ୍ଗିତ ମଧ୍ୟ କରିଥିଲେ ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ଦତାତ୍ରୟ ସହସ୍ରବୃଦ୍ଧି ।

ତେବେ ଏସବୁ ଭିତରେ ଏଆଇସିଟିଇ ଏକ ନୂଆ ପଦକ୍ଷେପ ନେବାକୁ ଚିନ୍ତା କରୁଛି । ସିଟ୍ ଫାଙ୍କା ପଡୁଥିବା ଇଞ୍ଜିନିୟରିଂ କଲେଜର ମିଶ୍ରଣ କରି ଚଳାଇବାକୁ ଚିନ୍ତା କରୁଛି ଏଆଇସିଟିଇ । ଏପରିକି ସିଟ୍ ଫାଙ୍କା ପଡୁଥିବା ଇଞ୍ଜିନିୟରିଂ କଲେଜକୁ ଅନ୍ୟ କଲେଜ ସହ ମିଶ୍ରଣ କରିବାକୁ ଦୁଇପକ୍ଷଙ୍କୁ ପ୍ରସ୍ତାବ ଦେବାକୁ ପ୍ରସ୍ତୁତି ଚଳାଇଛି ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ।

engineering 3ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୪୬୩୩ଟି ଇଞ୍ଜିନିୟରିଂ ପାଠ୍ୟକ୍ରମ ଓ ୫୨୭ଟି ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଛି । କେବଳ ମହାରାଷ୍ଟ୍ରରେ ୯୨୧ଟି ଇଞ୍ଜିନିୟରିଂ ବିଷୟବସ୍ତୁୂ ସହ ୬୯ଟି କଲେଜରେ ତାଲା ଝୁଲିଛି । ବନ୍ଦ ହୋଇଥିବା କଲେଜ ମଧ୍ୟରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ପଲିଟେକନିକ,ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରଦାନ କରୁଥିବା ଅଧିକାଂଶ କଲେଜ ରହିଛି ।

ଗତ କିଛିଦିନ ପୂର୍ବେ ଏଆଇସିଟିଇ ଦେଶରେ ୮୦୦ ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ନିଷ୍ୱତି ନେଇଥିଲା । ଲଗାତାର ୩୦ ପ୍ରତିଶତରୁ କମ ସିଟରେ ଆଡମିଶନ ହେଉଥିବା କଲେଜକୁ ବନ୍ଦ କରିବାକୁୂ ନିଷ୍ପତି ନେଇଥିଲା ପରିଷଦ । ଗତ ୧୦ ବର୍ଷ ଧରି ଏହି ସମସ୍ୟା ଦେଶରେ ଲାଗି ରହିଛି । ଗତ ୧୫ବର୍ଷ ପୂର୍ବେ ହୁ ହୁ ଭାବେ ବଢ଼ି ଚାଲିଥିଲା ଇଞ୍ଜିନିୟରିଂ ଛାତ୍ରୀଛାତ୍ରୀଙ୍କ ସଂଖ୍ୟା । ତା ସହ ତାଳ ଦେଇ ଛତୁ ଫୁଟିବା ଭଳି ଇଞ୍ଜିନିୟରିଂ କଲେଜ ଗଢ଼ି ଉଠିଥିଲା । କିନ୍ତୁ ଗତ ବର୍ଷ ହେଲା ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଗ୍ରହ କମିବାରେ ଲାଗିଛି । ଏପରିକି ଇଞ୍ଜିନିୟରିଂ ସମାପ୍ତ କରିବା ପରେ ମଧ୍ୟ ଛାତ୍ର ଛାତ୍ରୀ ଚାକିରୀ ନ ପାଇ ଘରେ ବସୁଛନ୍ତି । ଯାହାଫଳରେ ବେକାରୀ ସମସ୍ୟା ମଧ୍ୟ ବଢୁଛି । ତେବେ ଏସବୁ ଦୃଷ୍ଟିରେ ରଖି ଇଞ୍ଜିନିୟରିଂ ଛାତ୍ର ଛାତ୍ରୀଙ୍କୁ ଭଲ ଅନୁଷ୍ଠାନରେ ଚାକିରୀ ଦେବା ଓ ଛାତ୍ରଛାତ୍ରୀଙ୍କ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି କିଛି କଲେଜକୁ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛି ।

engineering studentସରକାରଙ୍କ ଏହି ନିଷ୍ପତି ପରେ ବନ୍ଦ ହେବାକୁ ଥିବା ଇଞ୍ଜିନିୟରିଂ କଲେଜ ମଧ୍ୟରେ ଚେତା ପଶିଛି । ଏଥିପାଇଁ ସରକାରଙ୍କୁ ଦୁଇଟି ପ୍ରସ୍ତାବ ଦେଇଛନ୍ତି ଇଞ୍ଜିନିୟରିଂ କଲେଜ । ପ୍ରଥମେ ପୂର୍ବ ତିନି ବର୍ଷର ନାମଲେଖା ହୋଇଥିବା ସିଟ ଉପରେ ଦୃଷ୍ଟି ଦେବା ସହ ଆଗାମୀ ଦୁଇ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ କଲେଜକୁ ବନ୍ଦ କରିବା ନିଷ୍ପତି ଉପରେ ପୁର୍ନବିଚାର କରିବାକୁ ଅନୁରୋଧ କରିଛନ୍ତି । ଦ୍ୱିତୀୟ ପ୍ରସ୍ତାବ ଅନୁଯାୟୀ, କମ ସିଟ ଆଡମିଶନ ହେଉଥିବା କଲେଜକୁ ଅନ୍ୟ କଲେଜ ସହ ମିଶ୍ରଣ କିମ୍ବା ସଂପୂର୍ଣ୍ଣ ଭାବେ ବିକ୍ରୟ କରିବାକୁ କଲେଜ କତ୍ତୃପକ୍ଷଙ୍କୁ ଅନୁରୋଧ କରିବାକୁ ଏଆଇସିଟିଇକୁ ନିବେଦନ କରିଛନ୍ତି ।

ବନ୍ଦ ହେବାକୁ ଥିବା କଲେଜର ପ୍ରସ୍ତାବ ଉପରେ ଏଆସିଟିଇ ବିଚାର କରୁଥିବା ନେଇ ସୂଚନା ଦେଇଛନ୍ତି ପରିଷଦର ଅଧ୍ୟକ୍ଷ ଅନୀଲ ସହସ୍ରାବୁଦ୍ଧି । କେବଳ ସିଟ ସଂଖ୍ୟା ନୁହେଁ ବରଂ ଆବଶ୍ୟକୀୟ ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଓ ଶିକ୍ଷାର ମାନ ଉପରେ ମଧ୍ୟ ଆଲୋଚନା କରାଯାଇଛି ।

ବୈଷୟିକ ଶିକ୍ଷା ପରିଷଦ ବନ୍ଦ ହେବାକୁ ଥିବା ସମସ୍ତ ୮୦୦ କଲେଜର ରିପୋର୍ଟ ସମୀକ୍ଷା କରିବାକୁ ଯୋଜନା ପ୍ରସ୍ତୁତି କରୁଛି । ଏପରିକି ଏହି ସମୟ ମଧ୍ୟରେ କଲେଜ ଗୁଡିକୁ ମଧ୍ୟ ନିଜ ପକ୍ଷ ରଖି ପାରିବେ । ଏହି ସମୀକ୍ଷାରେ କଲେଜ ଗୁଡିକର ଭିତ୍ତିଭୂମି ସହ, ଆଡମିଶନ ଫି ଓ ଶିକ୍ଷାର ମାନଦଣ୍ଡ ଉପରେ ଅଧିକ ଫୋକସ କରାଯିବ । ସେସବୁ ବିଷୟକୁ ଦୃଷ୍ଟିରେ ରଖି କଲେଜ ବନ୍ଦ ହେବ କି ନାହିଁ ନିଷ୍ପତି ନିଆଯିବ । ପରିକ୍ଷଦର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ଯଦି କଲେଜର ଭିତ୍ତିଭୂମି ଖରାପ ଥିବ କିମ୍ବା ଉଚ୍ଚ ଫି ଦେବା ପରେ ମଧ୍ୟ ଯଦି ନିୟୁକ୍ତି ପ୍ରଦାନ କରିବା କ୍ଷେତ୍ରରେ କଲେଜ ପଛଘୁଞ୍ଚା ଦେଉଥିବ ତେବେ ଏଭଳି କଲେଜକୁ ଚଳାଇବା ପାଇଁ ପରିଷଦ ଅନୁମତି ଦେବ ନାହିଁ ।

maxresdefaultକିଛିଦିନ ପୂର୍ବେ ବାଙ୍ଗାଲୋରରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ଇଞ୍ଜିନିୟରିଂ କଲେଜ ବନ୍ଦ ହେବା ନେଇ ସୂଚନା ଦେଇଥିଲେ ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ଦତାତ୍ରୟ ସହସ୍ରବୁଦ୍ଧି । ସେ କହିଥିଲେ. ପ୍ରତିବର୍ଷ ଆଡମିସନ୍ କମିବା କାରଣରୁ ଅନେକ କଲେଜର ସିଟ୍ ଖାଲି ପଡୁଛି । ତେଣୁ ଖାଲି ପଡୁଥିବା ସେହି କଲେଜ ଗୁଡିକୁ ବନ୍ଦ୍ କରିବାକୁ ଏଆଇସିଟିଇ ଚାହୁଁଛି । ସେ କହିଛନ୍ତି ଅଲଇଣ୍ଡିଆ କାଉନସିଲ୍ ଅଫ୍ ଟେକନିକାଲ୍ ଏଜୁକେସନର ନିୟମାବଳୀ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୫୦ଟି କଲେଜ ସ୍ୱଛାକୃତ ଭାବେ ବନ୍ଦ ହୋଇଯାଉଛି । ନିୟମାବଳୀ ଅନୁସାରେ ଉପଯୁକ୍ତ ଭିତିଭୂମି ନଥିବା କଲେଜ ଏବଂ ଲଗାତାର ଭାବେ ୫ବର୍ଷ ଧରି ୩୦ପ୍ରତିଶତ ଆଡମିସନ୍ ହେଉ ନଥିବା କଲେଜଗୁଡିକ ବନ୍ଦ କରାଯିବ ।

ଏସବୁ ଘଟଣାକୁ ଦୃଷ୍ଟିରେ ରଖିଲେ ଓଡିଶାରେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ପଡିପାରେ । କାରଣ ରାଜ୍ୟରେ କିଛି ଘରୋଇ ଇଞ୍ଜିନିୟରିଂ କଲେଜକୁ ଛାଡିଦେଲେ ବାକି ସବୁ କଲେଜରେ ସିଟ୍ ଫାଙ୍କା ରହୁଛି । ଏକ ହିସାବ ଅନୁଯାୟୀ, ଓଡିଶାରେ ସରକାରୀ ଓ ବେସରକାରୀ ଇଞ୍ଜିନିୟରି କଲେଜରେ ସିଟ୍ ସଂଖ୍ୟା ହେଉଛି ୪୩ହଜାର । କିନ୍ତୁ ଚଳିତ ବର୍ଷ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ହୋଇଥିବା ଓଜେଇଇ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାତ୍ର ୮ହଜାର ୧୫୨ଜଣ ଛାତ୍ରଛାତ୍ରୀ ବିଭିନ୍ନ କଲେଜରେ ଆଡମିସନ ନେଇଛନ୍ତି । ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଘରୋଇ ଇଞ୍ଜିନିୟରି କଲେଜ ।

ପୂରା ରାଜ୍ୟରେ ଇଞ୍ଜିନିୟରିଂ କଲେଜରେ ଖାଲି ପଡିଛି ପ୍ରାୟ ୯୦ ପ୍ରିତିଶତରୁ ଅଧିକ ସିଟ୍ । ସ୍ଥିତି ଏମିତି ହୋଇଛି ଯେ କିଛି କଲେଜ ମାଲିକ ଶିକ୍ଷାନୁଷ୍ଠାନରେ ତାଲା ଝୁଲାଇବା ପାଇଁ ଚିନ୍ତା କଲେଣି । ତେବେ ଏଭଳ ସ୍ଥିତିରୁ ରକ୍ଷା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଡିଶା ଘରୋଇ ଇଞ୍ଜିନିୟରିଂ କଲେଜ ମାଲିକ ସଙ୍ଘ ।ପରେପୁଣି ଥରେ ପ୍ରବେଶିକା ପରୀକ୍ଷା କରି ନୂଆ ଛାତ୍ରଛାତ୍ରୀଙ୍କ ଆଡମିସନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କିନ୍ତୁ ଦ୍ୱିତୀୟ ପର୍ୟ୍ୟାୟ ଜେଇଇ ପରୀକ୍ଷା ପରେ ମଧ୍ୟ ରାଜ୍ୟର ଅଧିକାଂଶ କଲେଜରେ ସିଟ୍ ଫାଙ୍କା ରହିଛି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଇଂଜିନିୟରିଂ ପାଠ୍ୟକ୍ରମ ପ୍ରତି ରାଜ୍ୟରେ ବଢୁଥିବା ବିତୁଷ୍ଣାଭାବ ଲାଗି ଦାୟୀ କିଏ?